ରାଉରକେଲା ୨୯/୭,(ଉତ୍କଳ ସମାଚାର) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସହରରେ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଆବାସିକ ଅଞ୍ଚଳରେ ବର୍ଷାପାଣି ପ୍ରବେଶ କରିଛି। ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଏହାର ପ୍ରଭାବ ଓଡ଼ିଶା ସମେତ ଛତିଶଗଡ ଓ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି। ବିଶେଷକରି ଓଡିଶାର ଉତ୍ତର-ପଶ୍ଚିମାଞ୍ଚଳ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲା ସମେତ କେଉଁଝର, ମୟୂରଭଞ୍ଜ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ, ନୂଆପଡା ଏବଂ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଆଜି ବୁଧବାର ମଧ୍ୟାହ୍ନରେ ରାଉରକେଲା ସହର ସମେତ ଇସ୍ପାତ ସହରାଞ୍ଚଳରେ ପ୍ରବଳ ବର୍ଷା ସହିତ ପ୍ରବଳ ପବନ ହୋଇଥିଲା। ସହରର ବସ୍ତି ଅଞ୍ଚଳରେ ଥିବା ଡ୍ରେନଗୁଡିକରେ ବର୍ଷା ପାଣି ପ୍ରବାହିତ ହେଉଥିବା ଦେଖାଯାଇଥିଲା। ସହରର ଟିସିଆଇ ଛକ ବସ୍ତି, ପାନପୋଷର ଜଗନ୍ନାଥ କଲୋନୀ, ବାଲୁଘାଟର ରୂପୁଟୋଲା ବସ୍ତି, ଗୋପବନ୍ଧୁ ପାଲି ଅଞ୍ଚଳ ସମେତ ଅନେକ ବସ୍ତିରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପୂର୍ବରୁ ପାଣିପାଗ ବିଭାଗ ଦ୍ୱାରା ପ୍ରବଳ ବର୍ଷାର ସୂଚନା ଦେଇଥିଲା, ଯାହା ଯୋଗୁଁ ଆଜି ସ୍କୁଲ ଏବଂ ୟୁକ୍ତ ଦୁଇ କଲେଜ ବନ୍ଦ ରହିଛି। ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷାର ପ୍ରକୋପ ଦେଖାଯାଇଛି।

