ରାଉରକେଲା ୨୯/୭,(ଉତ୍କଳ ସମାଚାର) ସମଗ୍ର ଦେଶ ଏବଂ ରାଜ୍ୟରେ ପ୍ରଦ୍ଯୁଷଣ ବିରୁଦ୍ଧରେ ସଚେତନତା ସୃଷ୍ଟି ସହିତ ବହୁ ଆଇନ ଅଣାଯାଉଛି। ପ୍ରଦ୍ଯୁଷଣ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବିଭାଗ ରହିଛି। ଆମ ରାଜ୍ଯ ଓଡିଶାରେ ରହିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯାହା ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ହେଉଛି। ୧୯୮୩ ଜୁଲାଇ ୧୫ ତାରିଖ (ନୋଟିଫିକେସନ ନଂ. 1481-VII-HI-11/83 (Vol. II) S.T.E.) ଓଡିଶା ଷ୍ଟେଟ୍ ପ୍ରିଭେନସନ୍ ଆଣ୍ଡ କଣ୍ଟ୍ରୋଲ୍ ଅଫ୍ ପଲ୍ଯୁସନ ବୋର୍ଡ ନାମରେ ଗଠିତ ହୋଇ ପରବର୍ତ୍ତୀ ୧୯୯୯ ଜୁଲାଇ ୧୬ ତାରିଖରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନାମରେ ନାମିତ ହୋଇଥିଲା। ଏହାର କାର୍ଯ୍ୟ ଥିଲା ଜଳ ଏବଂ ବାୟୁ ପ୍ରଦୂଷଣକୁ ରୋକିବା। ଦେଶ ଓ ରାଜ୍ୟର ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତି ଓ ବୁଦ୍ଧିଜୀବୀଙ୍କ ସମେତ ବୈଜ୍ଞାନିକମାନେ ଜାଣନ୍ତି ଯେ, ଜଳ ଏବଂ ବାୟୁ ପ୍ରଦୂଷିତ କିପରି ହୁଏ ଏବଂ ହେବାର କାରଣ କ’ଣ ! ଆମ ମତରେ ଶିଳ୍ପାୟନ ସହିତ ଶିଳ୍ପରେ ବ୍ୟବହାର ହେଉଥିବା କୋଇଲା, ପେଟ୍ରୋଲିୟମ ପଦାର୍ଥ ଏବଂ ରାସାୟନିକ ପଦାର୍ଥ। ଏସବୁକୁ ବ୍ୟବହାର କଲାପରେ ଏଥିରୁ ନିର୍ଗତ ହେଉଥିବା ଧୂଆଁ, ବାଷ୍ପ ଓ ବର୍ଜ୍ୟଜଳ ବାୟୁ ମଣ୍ଡଳ ଏବଂ ଜଳରେ ମିଶିବା ସହିତ ପରିବେଶକୁ ଦୂଷିତ କରୁଛି। ବାୟୁ ଓ ଜଳ ଦୂଷିତ ହେବା ଦ୍ଵାରା ଜଳବାୟୁ ଏବଂ ପରିବେଶ ପ୍ରଦୂଷିତ ହେଉଛି। ଏହା ଜାଣି ମଧ୍ଯ ଶିଳ୍ପାୟନ କରାଯାଉଛି। ଅପରପକ୍ଷରେ ପ୍ରଦ୍ଯୁଷଣ ନିୟନ୍ତ୍ରଣ କରିବା ପାଇଁ ଗଛ ଲଗାଇବାକୁ ଧ୍ୟାନ ଦିଆଯାଉଛି। ଶିଳ୍ପରୁ ବାହାରୁଥିବା ଧୂଆଁ ଓ ପାଉଁଶ ଗଛର ପତ୍ର ଉପରେ ଲାଗିରହିଛି। ଗଛ ବଢିବାରେ ଏହା ମଧ୍ଯ ବାଧକ ସାଜୁଛି। ବର୍ଷା ଋତୁକୁ ଛାଡିଦେଲେ ଅନ୍ୟ ଋତୁରେ ଏହି ଆସ୍ତରଣ ଦେଖିବାକୁ ମିଳୁଛି। ସାଧାରଣ ଲୋକ ବିଶେଷ କରି ଗ୍ରାମାଞ୍ଚଳର ଲୋକମାନେ ଜାଣନ୍ତି ନାହିଁ ଯେ ପ୍ରଦ୍ଯୁଷଣ କ’ଣ ! ମୋଟରସାଇକେଲରୁ ଧୂଆଁ ବାହାରି ଯଦି ବାୟୁମଣ୍ଡଳକୁ ପ୍ରଦୂଷିତ କଲା ତେବେ, କଳକାରଖାନାରୁ ବାହାରୁ ଥିବା ଧୂଆଁ ଓ ବାଷ୍ପ କ’ଣ ବାୟୁମଣ୍ଡଳକୁ ପ୍ରଦୂଷିତ କରୁନାହିଁ ! ଏହାର ସମାଧାନ ପାଇଁ ସରକାର ଓ ପରିବହନ ବିଭାଗ ପକ୍ଷରୁ ପିୟୁସିସି ଯାଞ୍ଚ ସାର୍ଟିଫିକେଟ ଲାଗୁ କରାଯାଇଛି। ଏହା କେତେଦୂର ଯୁକ୍ତିସଂଗତ, ତାହା ବର୍ତ୍ତମାନ ଏବଂ ଆଗାମୀ ପରିସ୍ଥିତିରେ ଚ୍ୟାଲେଞ୍ଜ ସୃଷ୍ଟି କରିବ। ପିୟୁସିସି ସାର୍ଟିଫିକେଟ ନଥିଲେ ପରିବହନ ବିଭାଗ ପକ୍ଷରୁ ଜୋରିମାନା ଆଦାୟ କରାଯିବା ଆଇନ ଲାଗୁ କରାଯାଇଛି। ଏହା କେତେଦୂର ଯୁକ୍ତି ସଂଗତ ! ରାଜ୍ୟ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡ ନିରୀକ୍ଷଣରେ ଚାଲୁଥିବା ଶିଳ୍ପ ଓ କଳକାରଖାନା ଏବଂ ଏଥିରୁ ନିର୍ଗତ ହେଉଥିବା ଧୂଆଁ ବାୟୁମଣ୍ଡଳକୁ ପ୍ରଦ୍ଯୁଷିତ କରୁନାହିଁ ଏବଂ ଏହା ବିଭାଗ ନିୟନ୍ତ୍ରଣରେ ରହିଛି ବୋଲି ରାଉରକେଲାରେ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଶାଖା ଡିଣ୍ଡିମ ପିଟୁଥିଲା ବେଳେ, ରାଉରକେଲା ଇସ୍ପାତ କାରଖାନାରୁ ବାହାରୁଥିବା ଏହି ଧୂଳିଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରୁନାହିଁ ଏବଂ ସ୍କୁଟର ଓ ମୋଟରସାଇକେଲରୁ ବାହାରୁ ଥିବା ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି ଅର୍ଥ ହାତୀ ଚାଲିଯାଉଛି, ପିମ୍ପୁଡ଼ି ଯାଇପାରୁନାହିଁ ସଦୃଶ। ଏହାର ଜବାବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଖରେ ନଥିଲା ପରି ମନେହୁଏ।

