ସୁଭଦ୍ରା ଯୋଜନାରେ କେନ୍ଦୁଝରର ରେଣୁକା ଓ ଜୟନ୍ତୀ ସ୍ୱାବଲମ୍ବନର ନୂଆ ପ୍ରତୀକ
କେନ୍ଦୁଝର, //28//08//2026 //ଉତ୍କଳସମାଚାର //: ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ କେନ୍ଦୁଝର ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।, ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲାର ୪ ଲକ୍ଷ ୫୦ ହଜାରକୁ ମିଶାଇ ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ମନ୍ତ୍ରୀ ନିଜ ବକ୍ତବ୍ୟରେ ସେ ପ୍ରକାଶ କରିଥିଲେ ଯେ, ସରକାର ପ୍ରଦାନ କରୁଥିବା ଏହି ସହାୟତା ମା’ମାନଙ୍କ ପାଇଁ କେବଳ ଏକ ସାଧାରଣ ଅର୍ଥରାଶି ନୁହେଁ, ବରଂ ଏହା ସେମାନଙ୍କ ଆତ୍ମନିର୍ଭରଶୀଳତା, ସ୍ୱାବଲମ୍ବନ ଓ ସ୍ୱାଭିମାନର ଶ୍ରେଷ୍ଠ ପ୍ରତୀକ। ସୁଭଦ୍ରା ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି “ରାଜ୍ୟର ମା’ ଓ ଭଉଣୀମାନଙ୍କୁ ଆର୍ଥିକ ଭାବେ ସକ୍ଷମ କରି ସେମାନଙ୍କୁ ସମାଜରେ ଆତ୍ମସମ୍ମାନ ଓ ସ୍ୱାଭିମାନର ସହ ବଞ୍ଚିବାର ସୁଯୋଗ ସୃଷ୍ଟି କରିବା। ଏହି ଆର୍ଥିକ ସହାୟତା ମାଧ୍ୟମରେ ମହିଳାମାନେ ନିଜ ପରିବାରର ଆବଶ୍ୟକତା ପୂରଣ କରିବା ସହ ସମାଜର ଉନ୍ନତି ପାଇଁ ସହଯୋଗର ହାତ ବଢ଼ାଇପାରିବେ। ଏହି ପର୍ଯ୍ୟାୟରେ ଜିଲ୍ଲାର ପ୍ରାୟ ୪ ଲକ୍ଷ ୫୦ ହଜାର ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ୫,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ସମଗ୍ର ରାଜ୍ୟରେ ଏହି ଯୁଗାନ୍ତକାରୀ ଯୋଜନା ପାଇଁ ରାଜ୍ୟ ସରକାର ମୋଟ ୫୦,୦୦୦ କୋଟି ଟଙ୍କା ବିନିଯୋଗ କରିବାର ବୃହତ୍ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ମା’-ଭଉଣୀ ଓ ‘ସୁଭଦ୍ରା’ ହିତାଧିକାରୀଙ୍କୁ ପବିତ୍ର ରକ୍ଷାବନ୍ଧନର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମା” ଭଉଣୀମାନଙ୍କୁ କେବଳ ଶୁଭେଚ୍ଛାରେ ସୀମିତ ନରଖି ପ୍ରକୃତ ସ୍ୱାଧୀନତା ଓ ଆତ୍ମନିର୍ଭରଶୀଳତାର ଉପହାର ଦେଉଛନ୍ତି। କେନ୍ଦୁଝର ଜିଲ୍ଲାର ଦୁଇଜଣ ସଫଳ ‘ସୁଭଦ୍ରା’ ହିତାଧିକାରୀ ଆଭାସୀ ମାଧ୍ୟମରେ ସିଧାସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଡ଼ି ହୋଇ ନିଜର ଆତ୍ମବିଶ୍ୱାସୀ ସଫଳତା କାହାଣୀ ବାଣ୍ଟିଥିଲେ – ଝୁମ୍ପୁରାର ରେଣୁକା ବାରିକ ଛତୁ ଚାଷ ତାଲିମ ନେବା ପରେ ‘ସୁଭଦ୍ରା’ ଯୋଜନାରୁ ପାଇଥିବା ୪ଟି କିସ୍ତିର ୨୦,୦୦୦ ଟଙ୍କାକୁ ସେ ଛତୁ ଚାଷର ଉପକରଣ ଓ ଭିତ୍ତିଭୂମିରେ ବିନିଯୋଗ କରିଛନ୍ତି। ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ମମିତା ନାଏକ ଯୋଗ ଦେଇଥିଲେ। କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ ଧାମଧେରେ,ସମାଜ କଲ୍ୟାଣ ଅଧିକାରୀ ଭାନୁମତୀ ବେହେରା,ଜିଲ୍ଲାର ସମସ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ବ୍ଲକ, ପଂଚାୟତରୁ ସ୍ୱୟଂ ସହାୟକ ଗୋଷ୍ଠୀ, ସୁଭଦ୍ରା ହିତାଧିକାରୀ ଅଂଶ ଗ୍ରହଣ କରିଥିଲେ।

