ରାଉରକେଲା, ୨୯/୮(ଉତ୍କଳ ସମାଚାର): ସର୍କିଟ ହାଉସରୁ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ସମେତ ୧୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ଯ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ଆଜି ଠାରୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବ। ପ୍ରଥମେ ଆଜି ମୁଖ୍ଯ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ରାଉରକେଲା ସ୍ୱତନ୍ତ୍ର ଜେଲ ପରିସରରୁ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ଡାକ୍ତରୀ ପରୀକ୍ଷା ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା। ସରକାରୀ ଡାକ୍ତରଖାନାରେ ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ରଘୁନାଥପାଲ୍ଲୀ ଥାନାକୁ ପଚରାଉଚରା ପାଇଁ ନିଆଯାଇଥିବା ଜଣାପଡିଛି। ଏଠାରେ ସ୍ମରଣଯୋଗ୍ଯ ଯେ ରାଉରକେଲା ପାନପୋଷ ସର୍କିଟ ହାଉସରୁ ପିସ୍ତଲ ଓ ଗୁଳିଗୁଳା ଜବତ୍ ଘଟଣାରେ ପ୍ରଥମେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୪ ପିସ୍ତଲ, ୩ କାଟ୍ରିଜ୍ ଏବଂ ୧୧ଟି ଜୀବନ୍ତ ଗୁଳି ଜବତ୍ କରାଯାଇଥିଲା। ପୋଲିସ୍ ପକ୍ଷରୁ ଦ୍ବିତୀୟ ଥରରେ ଫେରାର ହୋଇଯାଇଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ବିହାରରୁ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ଗିରଫ କରି ଅଣାଯିବା ପରେ ତାଙ୍କୁ ପଚରାଉଚରା କରି ପୋଲିସ୍ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ରାଉରକେଲା ସର୍କିଟ ହାଉସ ପିସ୍ତଲ ଜବତ ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କ ସମେତ ୧୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ପକ୍ଷରୁ କୋର୍ଟଙ୍କୁ ଚାରି ଦିନ ରିମାଣ୍ଡ ମଗାଯାଇଥିଲା ବେଳେ କୋର୍ଟଙ୍କ ପକ୍ଷରୁ ଦୁଇ ଦିନ ରିମାଣ୍ଡ ମିଳିଥିଲା।

