ନବରଙ୍ଗପୁର:୨୬.୧୦.୨୦୨୬,(ଉତ୍କଳ ସମାଚାର)ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତ୍ୱରିତ ଓ ନ୍ୟାୟସଙ୍ଗତ ସମାଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ମଧୁମିତା ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ ମିଳିତ ଭାବେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ।ଶିବିରରେ ବିଭିନ୍ନ ସମସ୍ୟାର ସମାଧାନ ଆଶାରେ ଆସିଥିବା ଅଭିଯୋଗକାରୀମାନେ ନିଜ ନିଜର ସମସ୍ୟା ଓ ଅଭିଯୋଗକୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଉପସ୍ଥିତ ଅଧିକାରୀମାନେ ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରିବା ସହ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକ ତଦନ୍ତ ଓ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୩୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୭ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୧ଟି ଗ୍ରାମ୍ୟ ଓ ସାମୂହିକ ଅଭିଯୋଗ ରହିଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ଗୋଟିଏର ସମାଧାନ ତତ୍କାଳ ଘଟଣାସ୍ଥଳରେ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ତ୍ୱରିତ ତଦନ୍ତ ଓ ନିୟମାନୁଯାୟୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଥିଲା।ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ସହ ତାହାର ଉପଯୁକ୍ତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ସ୍ୱଚ୍ଛ, ସୁଗମ ଓ ଜନକୈନ୍ଦ୍ରିକ କରିବା ଉପରେ ଏହି ଶିବିରରେ ଗୁରୁତ୍ୱ ଦିଆଯାଇଥିଲା। ଏପରି ଅଭିଯୋଗ ଶୁଣାଣି ଶିବିର ଜରିଆରେ ଜନସାଧାରଣ ଜିଲ୍ଲା ଓ ବ୍ଲକ୍ସ୍ତରୀୟ ଅଧିକାରୀଙ୍କ ନିକଟରେ ସିଧାସଳଖ ନିଜର ସମସ୍ୟା ଉପସ୍ଥାପନ କରିବାର ସୁଯୋଗ ପାଉଛନ୍ତି। ଏହାଦ୍ୱାରା ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ସୁଦୃଢ଼ ହେବା ସହ ଅଭିଯୋଗଗୁଡ଼ିକର ସମୟୋଚିତ ସମାଧାନ ଦିଗରେ ସହାୟତା ମିଳୁଛି। ଏହି ଅବସରରେ ତେନ୍ତୁଳୀଖୁଣ୍ଟି ବ୍ଲକ୍ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ନବରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ବନଖଣ୍ଡ ଅଧିକାରୀ ଶ୍ରୀ ଉଦୟନ ସୁବୁଦ୍ଧି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା ଏବଂ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ l

