ରାଉରକେଲା ୨୬/୧୦,(ଉତ୍କଳ ସମାଚାର) ସହରର ପ୍ରମୁଖ କଲୋନୀ ମଧ୍ୟରେ ଛେଣ୍ଡ କଲୋନୀ ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ କଲୋନୀର ସ୍ଥାନ ପାଇଥିବା ବେଳେ, ଦିନକୁ ଦିନ ଏହାର ମୁଖ୍ଯ ରାସ୍ତା ସମେତ ଛକ (ଚୌକ)ଗୁଡିକ ମଧ୍ୟ ସଂକୁଚିତ ହେବାରେ ଲାଗିଛି। ଏଠାରେ ସ୍ମରଣଯୋଗ୍ଯ ଯେ ରାଉରକେଲା ଡେଭଲପମେଣ୍ଟ ଅଥରିଟି ଦ୍ବାରା ନିର୍ମାଣ କରାଯାଇଥିବା ଘର ଓ ପ୍ଲଟ୍ ଆବଣ୍ଟିତ ହେବା ପରେ, ସମ୍ପୂର୍ଣ୍ଣ କଲୋନୀକୁ ରାଉରକେଲା (ପୌରପାଳିକା) ପୌର ନିଗମକୁ ହସ୍ତାନ୍ତରିତ କରାଯାଇଥିଲା। ପରେ ମୁଖ୍ୟ ରାସ୍ତାକୁ ପିଡବ୍ଲୁଡିକୁ ହସ୍ତାନ୍ତରିତ କରାଯିବା ପରେ (ଆର୍ ଆଣ୍ଡ ବି) ଦ୍ବାରା ରାସ୍ତାଗୁଡ଼ିକୁ ପୁନଃ ନିର୍ମାଣ କରାଯାଇଥିଲା। ରାଉରକେଲା ସହର ମହାନଗର ନିଗମ ସହିତ ସ୍ମାର୍ଟ ସିଟିରେ ପରିଣତ ହେବା ପରେ ସ୍ବରେଜ ପା L&T ଏହାକୁ ଠିକାରେ ନେଇ ମୁଖ୍ୟ ରାସ୍ତା ସମେତ ସମସ୍ତ ରାସ୍ତାକୁ ଖୋଳି ଯେଉଁ ସ୍ବରେଜ କାର୍ଯ୍ୟ କରିଛି, ତାହା ଅବର୍ଣ୍ଣନୀୟ। ଦିନକୁ ଦିନ ରାସ୍ତା ଏବଂ ଛକ ଗୁଡିକ ସଂକୁଚିତ ହେବାରେ ଲାଗିଥିଲେ ମଧ୍ୟ ମହାନଗର ନିଗମ ଏବଂ ପ୍ରଶାସନ ପକ୍ଷରୁ ରାସ୍ତା ପାର୍ଶ୍ବ ଜବରଦଖଲମୁକ୍ତ କରାଯିବା ପାଇଁ କୌଣସି ପଦକ୍ଷେପ ନ ନିଆଯିବା ପ୍ରଶାସନର ବିଫଳତାକୁ ପଦାରେ ପକାଇଛି। ରାସ୍ତା ପାର୍ଶ୍ୱରେ ରହିଛି ବେଆଇନ ମାଳ ମାଳ ଗୁମୁଟି, ମାଛ ଦୋକାନ, କୁକୁଡା ଦୋକାନ, ମାଂସ ଦୋକାନ, ପରିବା ଦୋକାନ, ମାଂସ ଓ ମାଛ ପୋଡା ଦୋକାନ ଏବଂ ଅନ୍ୟାନ୍ୟ ଦୋକାନ। ପ୍ରଶାସନିକ ଅଧିକାରୀଙ୍କ ପାଇଁ ରାଉରକେଲା ଏକ ପ୍ରୟୋଗଶାଳା ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଛେଣ୍ଡ କଳିଙ୍ଗବିହାର ରୋଡରେ ଥିବା ବସ୍ ଷ୍ଟପ୍ ପାଖରେ ମାଛ ଓ କୁକୁଡା ଦୋକାନ ରହିବା ଯୋଗୁଁ ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲେ ମଧ୍ଯ, ଜନସାଧାରଣ ରାଉରକେଲା ମହାନଗର ନିଗମର ନୀରବତା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଯାହା ପୌର ପ୍ରଶାସନର ନୀରବତା ଉପରେ ପ୍ରଶ୍ନ ଉଠାଇଛି। ରୋଟାରୀ ଛକରୁ ଓଭରବ୍ରିଜ ଦେଇ ହନୁମାନ ମନ୍ଦିର ଏବଂ କଳିଙ୍ଗ ବିହାର ରୋଡ ନିକଟସ୍ଥ ଛକ ସମ୍ପୂର୍ଣ୍ଣ ଭାବେ ଜବରଦଖଲକାରୀଙ୍କ ପଞ୍ଝାରେ ରହିଥିବା ବେଳେ ଦୁର୍ଘଟଣା ଘଟିବାର ସମ୍ଭାବନା ଥିଲେ ମଧ୍ଯ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ବସ୍ ଷ୍ଟପ୍ ପରିସର ଏବଂ ଏହାର ଆଖପାଖରେ ମାଛ ଦୋକାନ ଖୋଲିବା ଯାତ୍ରୀଙ୍କ ସୁବିଧାକୁ ପ୍ରଭାବିତ କରିଛି। ଫଳସ୍ୱରୂପ, ଯାତ୍ରୀମାନେ ରାସ୍ତା କଡ଼ରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି, ଯାହା ଫଳରେ ପ୍ରତିଦିନ ଟ୍ରାଫିକ୍ ଜାମ୍ ଏବଂ ବିଶୃଙ୍ଖଳା ସୃଷ୍ଟି ହେଉଛି। ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ବସ୍ ଷ୍ଟାଣ୍ଡଟି ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ହୋଇଥିଲା, କିନ୍ତୁ ଏହା ଏବେ ସମ୍ପୂର୍ଣ୍ଣ ବିଶୃଙ୍ଖଳିତ ହୋଇପଡ଼ିଛି। ଦୋକାନୀମାନେ ବସ୍ ଷ୍ଟାଣ୍ଡର ଏକ ଅଂଶକୁ ଜବରଦଖଲ କରିଛନ୍ତି। ପ୍ରଶାସନ ଏବଂ RMC (ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନ୍) ଏପର୍ଯ୍ୟନ୍ତ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ସଚେତନ ନାଗରିକମାନଙ୍କ ପକ୍ଷରୁ ଏହି ମାମଲାରେ ପୌର ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ଯଦି ସମୟୋଚିତ ପଦକ୍ଷେପ ନିଆ ନ ଯାଏ, ତେବେ ଏହି ଜବରଦଖଲ ସ୍ଥାୟୀ ହେବା ସହିତ ଉଚ୍ଛେଦ ସମୟରେ ଜାଗା ଦାବି କରିବା ସହ ସାର୍ବଜନୀନ ସମ୍ପତ୍ତି ଉପରେ ଜବରଦଖଲର ଧାରା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ଯେ ବସ୍ ଷ୍ଟାଣ୍ଡକୁ ଜବରଦଖଲ ମୁକ୍ତ କରାଯିବା ସହିତ ଯାତ୍ରୀମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉ।

