ରାଉରକେଲା ୩୧/୮,(ଉତ୍କଳ ସମାଚାର)ଲଘୁଚାପ ପ୍ରଭାବରେ ସୁନ୍ଦରଗଡ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ମୟୂରଭଞ୍ଜ, ଦେଓଗଡ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ ଏବଂ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଗତ ଦୁଇ ଦିନ ଧରି ରାଜ୍ୟ ବ୍ୟାପୀ ବର୍ଷା ହେଉଛି। ବିଭିନ୍ନ ଅଞ୍ଚଳରେ ମଝିରେ ମଝିରେ ଅଧିକ ବର୍ଷା ହେଉଥିବା ସୂଚନା ମିଳିଛି। ପାଣିପାଗ ବିଭାଗ ଅନୁଯାୟୀ, ଆହୁରି ତିନି ଦିନ ଧରି ବର୍ଷା ଲାଗି ରହିବ ବୋଲି ସୂଚନା ଦିଆଯାଇଛି। ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଶା କରାଯାଉଛି।ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି, ସେଠାରେ ଜିଲ୍ଲା କର୍ତ୍ତୃପକ୍ଷ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଲଗାଣ ବର୍ଷାର ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ବରଗଡ଼ରେ ସ୍କୁଲ ବନ୍ଦ ରଖାଯାଇଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଆଜି, କାଲି ଏବଂ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ସହିତ ହାଲୁକାରୁ ମଧ୍ୟମ ଧରଣର ପବନ ବହିପାରେ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ବର୍ଷା ସମ୍ବନ୍ଧୀୟ ଘଟଣାକ୍ରମ ଉପରେ ନଜର ରଖାଯାଇଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଦୁର୍ବଳ ଏବଂ ତଳିଆ ଅଞ୍ଚଳରେ ବାସକରୁଥିବା ଲୋକମାନଙ୍କୁ ଏହି ସୂଚନା ଜାରି କରାଯାଇଛି

