ସମ୍ବଲପୁର,୦୮/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଦ୍ଵାରା ସମ୍ବଲପୁର ର ବିକାଶମୂଳକ କାର୍ଯ୍ୟକ୍ରମର ସମନ୍ଵୟ ଓ କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା (ଦିଶା) କମିଟିର ବୈଠକ ସାସଂଦ, ସମ୍ବଲପୁର ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ମୁଖ୍ୟତଃ ଜଳସେଚନ, ରେଳବାଇ, ଟେଲିକମ୍ ଓ ବିଦ୍ୟୁତ ବିଭାଗର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବୈଠକରେ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଇଛି ବୋଲି ସାସଂଦ, ସମ୍ବଲପୁର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବର୍ତ୍ତମାନ ଜିଲ୍ଲାର ପ୍ରାୟ ୫୦ ପ୍ରତିଶତ ଚାଷଜମି ଜଳସେଚିତ ଥିବା ବେଳେ ଧନକଉଡ଼ା ଓ ମାନେଶ୍ୱର ଭଳି ବ୍ଲକରେ ଏହା ୭୦ ରୁ ୮୦ ପ୍ରତିଶତ ରହିଛି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ । ଜିଲ୍ଲାର ବର୍ତ୍ତମାନର ୮୦,୦୦୦ ହେକ୍ଟର ଜଳସେଚିତ ଜମି ସହିତ ଆଗାମୀ ୨ ରୁ ୫ ବର୍ଷ ମଧ୍ୟରେ ଆଉ ୫୦,୦୦୦ ହେକ୍ଟର ଜମି ଯୋଡ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ମହାନଦୀ କମାଣ୍ଡ ଅଞ୍ଚଳର ନାଳ, ଝରଣା, ବନ୍ଧ, କଟା ଓ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ବ୍ୟବସ୍ଥାକୁ ଉପଯୋଗ କରି ଏକ ‘ଜିଲ୍ଲା ହାଇଡ୍ରୋଲୋଜି ମ୍ୟାପିଂ’ ପ୍ରସ୍ତୁତ କରିବା ସହ ବୃହତ, କ୍ଷୁଦ୍ର, ମେଗା ଲିଫ୍ଟ, ଡିଆରଡିଏ ଓ ମୃତ୍ତିକା ସଂରକ୍ଷଣ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ ବୋଲି ସେ କହିଥିଲେ । ମେଗା ଲିଫ୍ଟ ଇରିଗେସନ କ୍ଷମତାକୁ ୧୩,୦୦୦ ହେକ୍ଟରରୁ ଦ୍ୱିଗୁଣିତ କରିବା ଏବଂ ନାକ୍ଟିଦେଉଳ, ରେଢ଼ାଖୋଲ, କୁଚିଣ୍ଡା, ବାମରା ଓ ଜମନକିରା ଭଳି ଉଚ୍ଚାଞ୍ଚଳରେ ପିଏମ୍-କୁସୁମ ଯୋଜନାରେ ବ୍ୟାପକ ସୌର ପମ୍ପ ସଂଯୋଗ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ହୀରାକୁଦ କେନାଲର ଜୀର୍ଣ୍ଣୋଦ୍ଧାର ଏବଂ ଅଯୋଧ୍ୟା ସାଗର ଭଳି ଇନଷ୍ଟ୍ରିମ୍ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ।ରେଳବାଇ ଭିତ୍ତିଭୂମି ସମ୍ପର୍କରେ ସୂଚନା ଦେଇ ସାଂସଦ ପ୍ରକାଶ କରିଛନ୍ତି ଯେ ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନର ନବକଳେବର କରାଯାଉଛି। ଏହା ସହିତ ହୀରାକୁଦ, ସମ୍ବଲପୁର ସିଟି, ରେଢ଼ାଖୋଲ ଓ ରେଙ୍ଗାଲି ଷ୍ଟେସନର ଆଧୁନିକୀକରଣ ତଥା ତୃତୀୟ ଓ ଚତୁର୍ଥ ଲାଇନ ନିର୍ମାଣର ସମୀକ୍ଷା କରାଯାଇଛି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବରେଇପାଲି, ଅଇଁଠାପାଲି, କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱ ଏବଂ ବାଗଡ଼ିଆପଡ଼ା ଭଳି ରେଳ ଧାରଣାର ଉଭୟ ପାର୍ଶ୍ୱରେ ଥିବା ବସ୍ତି ବାସିନ୍ଦାଙ୍କ ସୁରକ୍ଷିତ ଯାତାୟାତ ପାଇଁ ପାଦଚଲା ଓଭରବ୍ରିଜ୍ ନିର୍ମାଣର ସମ୍ଭାବ୍ୟତା ଅନୁଧ୍ୟାନ କରିବାକୁ ରେଳ ବିଭାଗ ଓ ମ୍ୟୁନିସିପାଲ କର୍ପୋରେସନକୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଥିଲେ। ସଭାର ଆରମ୍ଭରେ ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ), ସ୍ୱାଗତ ଭାଷଣ ଦେଇଥିଲାବେଳେ, ଶେଷରେ ଜିଲ୍ଲା ପରିଷଦ ର ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡ଼ିଓ-କମ-ଇଓ) ପ୍ରସନ୍ନ କୁମାର ପାତ୍ର ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ। ଏହି ବୈଠକ ରେ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର ଶ୍ରୀ ରବିନରାୟଣ ନାୟକ, ବିଧାୟକ ସମ୍ବଲପୁର ଜୟନାରାୟଣ ମିଶ୍ର, ମାନ୍ୟବର ବିଧାୟକ ରେଙ୍ଗାଲି ସୁର୍ଦର୍ଶନ ହରିପାଲ, ଜିଲ୍ଳାପରିଷଦ ଅଧ୍ୟକ୍ଷା କୁମୁଦିନି ନାୟକ, ରେଢ଼ାଖୋଲ ବିଧାୟକ ଙ୍କ ପ୍ରତିନିଧି ହୀରାଲାଲ ବେହେରା, ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର(ଭା. ପ୍ର .ସେ), ଆଇଜି ଉତ୍ତରାଞ୍ଚଳ ଚରଣ ସିଂହ ମୀନା (ଭ.ପୁ.ସେ), ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଭା. ପ୍ର .ସେ), ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ(ଭ. ପୁ .ସେ) ପ୍ରମୁଖ ଉପସ୍ଥିତ ଥିଲେ।

