ସମ୍ବଲପୁର,୦୮/୦୯(ଉତ୍କଳ ସମାଚାର),(ସରୋଜ ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ତଲାବିରା କୋଇଲା ଖଣି ସମ୍ପର୍କିତ ଆର୍ପିଡିଏସି ବୈଠକ ସ୍ଥାନୀୟ ଆର୍ଡିସି କନଫରେନ୍ସ ହଲ୍ରେ ଅନୁଷ୍ଠିତ ହୋଇଛି। ବୈଠକରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ , ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ଆର୍ଡିସି ସଂଗ୍ରାମ କେଶରୀ ମହାପାତ୍ର , ଡିଆଇଜି, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍ପି, ପ୍ରଶାସନିକ ଅଧିକାରୀ, କମ୍ପାନୀ କର୍ତୃପକ୍ଷ ଉପସ୍ଥିତ ଥିଲେ। ଦୀର୍ଘ ବ୍ୟବଧାନ ପରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ତଲାବିରା କୋଇଲା ଖଣି ଯୋଗୁଁ ପ୍ରଭାବିତ ଅଞ୍ଚଳର ବିଭିନ୍ନ ସମସ୍ୟା, ବିସ୍ଥାପିତ ପରିବାରଙ୍କ ଦାବି, ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ, ସ୍ଥାନୀୟ ନିଯୁକ୍ତି ଏବଂ ପରିବେଶ ସମ୍ପର୍କିତ ପ୍ରସଙ୍ଗ ଗୁରୁତ୍ୱ ପାଇଥିବା ଜଣାପଡ଼ିଛି। ଏନ୍ଏଲ୍ସିକୁ ଆବଣ୍ଟିତ ଏବଂ ଆଦାନୀ ଗ୍ରୁପ୍ ଦ୍ୱାରା ପରିଚାଳିତ ତଲାବିରା କୋଇଲା ଖଣିରେ ଅନୁମତିଠାରୁ ଅଧିକ ଜମିରେ କୋଇଲା ଉତ୍ତୋଳନ ସହ ଖଣି ସମ୍ପର୍କିତ ନିୟମ ଉଲ୍ଲଂଘନ ହେଉଥିବା ନେଇ ସ୍ଥାନୀୟ ପକ୍ଷରୁ ଅଭିଯୋଗ ହୋଇଆସୁଛି। ବିଭିନ୍ନ ସମୟରେ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଅଭିଯୋଗ ଅନୁଯାୟୀ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ନେଇ ଅସନ୍ତୋଷ ରହିଛି। ଭେଡ଼େନ ନଦୀ ଉପରେ ନିର୍ଭରଶୀଳ ଠେଲକୁଲି, ଖିଣ୍ଡା, ପତ୍ରାପାଲି ଓ ମଲଦା ପଞ୍ଚାୟତର ଅଧିବାସୀମାନେ ଖଣି କାର୍ଯ୍ୟକଳାପ ଯୋଗୁଁ ପ୍ରଭାବିତ ହେଉଥିବା ଅଭିଯୋଗ କରିଆସୁଛନ୍ତି। ୨୦୨୧ ମସିହାରୁ ବିଭିନ୍ନ ସମୟରେ ଆନ୍ଦୋଳନ ଓ ପ୍ରତିବାଦ ହୋଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ରହିଛି।ସ୍ଥାନୀୟ ନିଯୁକ୍ତିକୁ ନେଇ ଅସନ୍ତୋଷଖଣିରେ ପ୍ରାୟ ୨୭୦୦ ଜଣ କାର୍ଯ୍ୟରତ ଥିବାବେଳେ ସେଥିରୁ ପ୍ରାୟ ୩୦୦ ଜଣ ସ୍ଥାନୀୟ ଏବଂ ମାତ୍ର ୨୮ ଜଣ ସ୍ଥାୟୀ କର୍ମଚାରୀ ବୋଲି ସ୍ଥାନୀୟ ପକ୍ଷରୁ ଦାବି କରାଯାଇଛି। ଖଣି ପ୍ରଭାବିତ ଅଞ୍ଚଳର ଯୁବକମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେବା ସହ ଯୋଗ୍ୟତା ଅନୁଯାୟୀ ସ୍ଥାନୀୟ ନିଯୁକ୍ତିରେ ପ୍ରାଥମିକତା ଦେବାକୁ ଦାବି ହୋଇଛି।ପୂର୍ବ ନିଷ୍ପତ୍ତି କାର୍ଯ୍ୟକାରୀ ନେଇ ପ୍ରଶ୍ନ
ଆର୍ପିଡିଏସିର ପୂର୍ବ ବୈଠକ ଗୁଡ଼ିକରେ ନିଆଯାଇଥିବା ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି, ତାହା ମଧ୍ୟ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ହୋଇଛି। ରେଙ୍ଗାଲିରେ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ, ହାଇମାଷ୍ଟ ଲାଇଟ୍, ସ୍ମାର୍ଟ କ୍ଲାସରୁମ୍ ଆଦି ପ୍ରସ୍ତାବର ଅଗ୍ରଗତି ଓ କାର୍ଯ୍ୟକାରିତା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନ ରହିଛି।୧୦ ଦିନରୁ ଅଧିକ ସମୟ ଧରି କୋଇଲା ଜଳୁଥିବା ଅଭିଯୋଗତଲାବିରା କୋଇଲା ଖଣି ଅଞ୍ଚଳରେ ୧୦ ଦିନରୁ ଅଧିକ ସମୟ ଧରି କୋଇଲା ଜଳୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହାର ପରିବେଶ ଓ ଜନଜୀବନ ଉପରେ ପ୍ରଭାବର ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।ଅନ୍ୟପକ୍ଷରେ, ଦୀର୍ଘ ୮ ବର୍ଷ ପରେ ଏକାଧିକ ଜନପ୍ରତିନିଧି ଓ ଶୀର୍ଷସ୍ତରୀୟ ପ୍ରଶାସନିକ ଏବଂ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆର୍ପିଡିଏସି ବୈଠକ ହୋଇଥିବାରୁ ଏଥର ଦୀର୍ଘଦିନର ସମସ୍ୟାର ଠୋସ ସମାଧାନ ବାହାରିବ ବୋଲି ଆଶା ପ୍ରକାଶ ପାଇଛି। ତେବେ ବୈଠକରେ ହୋଇଥିବା ଆଲୋଚନା ଓ ନିଆଯାଇଥିବା ନିଷ୍ପତ୍ତି କେତେ ଶୀଘ୍ର କାର୍ଯ୍ୟକାରୀ ହେବ, ତାହା ଉପରେ ଏବେ ତଲାବିରାବାସୀଙ୍କ ନଜର।

