କେତେ ବର୍ଗମିଟର, କେତେ ଟଙ୍କାର କାମ—ଜାଣିବାକୁ ଚାହୁଁଛନ୍ତି ଲୋକେ
ରାଇଘର:ନରସିଂବାଘ. (ଉତ୍କଳ ସମାଚାର). 07/09.ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଅନ୍ତର୍ଗତ ଭାରସୁଣ୍ଡି ରାଉତପାରା କଲୋନି ଠାରେ ଚାଲିଥିବା କଂକ୍ରିଟ ରାସ୍ତା ନିର୍ମାଣ କାମକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।କାମ ଚାଲୁଥିବା ସ୍ଥାନରେ ସୂଚନା ଫଳକ ନଥିବାରୁ ଏହି କଂକ୍ରିଟ ରାସ୍ତା କେଉଁ ବିଭାଗ ପକ୍ଷରୁ ନିର୍ମାଣ ହେଉଛି, କାମର ଅଟକଳ ମୂଲ୍ୟ କେତେ, କେତେ ବର୍ଗମିଟର ଅଞ୍ଚଳରେ ରାସ୍ତା ନିର୍ମାଣ ହେବ ଏବଂ କାମ କିଏ କରୁଛନ୍ତି—ଏନେଇ ସ୍ଥାନୀୟ ଲୋକେ ଜାଣିପାରୁନାହାନ୍ତି।ସରକାରୀ ଅର୍ଥରେ ହେଉଥିବା ଏଭଳି ଉନ୍ନୟନ କାମରେ କାମର ନାମ, ଅଟକଳ ମୂଲ୍ୟ, କାର୍ଯ୍ୟକାରୀ ବିଭାଗ, ଠିକାଦାରଙ୍କ ନାମ ଓ କାର୍ଯ୍ୟ ଅବଧି ଭଳି ତଥ୍ୟ ସାର୍ବଜନୀନ କରାଯିବା ନେଇ ଲୋକଙ୍କ ଦାବି ରହିଛି।“କଂକ୍ରିଟ ରାସ୍ତା କାମ କେତେ ଟଙ୍କାର? କେତେ ବର୍ଗମିଟର ରାସ୍ତା ହେବ? କାମ କିଏ କରୁଛନ୍ତି ଏବଂ କେଉଁ ବିଭାଗର ଅନୁମୋଦନରେ ହେଉଛି?”—ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ।ତେଣୁ ଭାରସୁଣ୍ଡି ରାଉତପାରା କଲୋନିରେ ଚାଲିଥିବା କଂକ୍ରିଟ ରାସ୍ତା କାମର ସମ୍ପୂର୍ଣ୍ଣ ବିବରଣୀ ସୂଚନା ଫଳକ ମାଧ୍ୟମରେ ପ୍ରକାଶ କରିବା ସହ କାମର ମାନ ଯାଞ୍ଚ କରିବାକୁ ସ୍ଥାନୀୟ ଲୋକେ ସମ୍ପୃକ୍ତ ବିଭାଗ ନିକଟରେ ଦାବି କରିଛନ୍ତି।
