ରାଉରକେଲା ୨୫/୧୦,(ଉତ୍କଳ ସମାଚାର) ୟୁଜିଆଇଇ ଆଲୁମନି ଆସୋସିଏସନ୍ ପକ୍ଷରୁ ବହୁ ପ୍ରତୀକ୍ଷିତ ୟୁଜିଆଇଇ ଟେକନୋଭା-୨୦୨୭, ଫେବୃଆରୀ ୭ ତାରିଖରେ ୟୁଜିଆଇଇ ପରିସରରେ ସକାଳ ୧୦ଟାରୁ ଦିନବ୍ୟାପୀ ଆୟୋଜିତ ହେବ ବୋଲି ଆଜି ୟୁଜିଆଇଇ ଅଡିଟୋରିୟମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ମହୋସବ ପୂର୍ବତନ ଛାତ୍ରଛାତ୍ରୀଙ୍କ ଏକତା, ବୈଷୟିକ ନବସୃଜନ, ଶିକ୍ଷାଗତ ଉତ୍କର୍ଷ, ସାଂସ୍କୃତିକ ବିବିଧତା ଓ ଅନୁଷ୍ଠାନର ଗୌରବମୟ ପରମ୍ପରାର ଏକ ଭବ୍ୟ ଉତ୍ସବ ଭାବରେ ଆୟୋଜିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ୟୁଜିଆଇଇ ଟେକନୋଭା- ୨୦୨୭ର ପ୍ରମୁଖ ଆକର୍ଷଣ ରହିବ ଛାତ୍ରଛାତ୍ରୀଙ୍କ ବୈଷୟିକ ପ୍ରକଳ୍ପ ପ୍ରଦର୍ଶନୀ – ଇନୋଭେଟ ୟୁଜିଆଇଇ – ଆଜିର ନବସୃଜନ, ଆସନ୍ତାକାଲିର ଇଞ୍ଜିନିୟରିଂ। ଆଲୁମନି ମିଟ୍ ୟୁଜିଆଇଇ ଟେକନୋଭା- ୨୦୨୭ର ଏକ ପ୍ରମୁଖ ଆକର୍ଷଣ ହେବ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବୈଷୟିକ ପ୍ରକଳ୍ପ, ଇଞ୍ଜିନିୟରିଂ ମଡେଲ୍ ଓ ଅଭିନବ ସମାଧାନର ପ୍ରଦର୍ଶନୀ। ଏଥିସହିତ ୟୁଜିଆଇଇର ପୂର୍ବତନ ଛାତ୍ରଛାତ୍ରୀଙ୍କ ପୁଅ ଓ ଝିଅମାନଙ୍କ ମଧ୍ୟରୁ ଯେଉଁମାନେ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ସେମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବା ପାଇଁ ୟଙ୍ଗ୍ ୟେଚିଭର-୨୦୨୭ ଆକର୍ଷଣ ରହିବ। ନିଜ ନିଜ ବୃତ୍ତିଗତ କ୍ଷେତ୍ର ଓ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ୟୁଜିଆଇଇର ପ୍ରମୁଖ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ପାଇଁ “ଉତ୍କର୍ଷର ସମ୍ମାନ ପିଢି ପାଇଁ ପ୍ରେରଣା” ପ୍ରଦାନ କରାଯିବ ବୋଲି ୟୁଜିଆଇଇ ଆଲୁମନି ଆସୋସିଏସନ ପକ୍ଷରୁ କୁହାଯାଇଛି। ସେହିପରି ଶିଳ୍ପ, ବାଣିଜ୍ୟ, ନିଯକ୍ତି ସୃଷ୍ଟି ଓ ସ୍ଥାନୀୟ ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଥିବା ରାଉରକେଲାର ଉଦ୍ୟୋଗୀମାନଙ୍କୁ ରାଉରକେଲା ଉଦ୍ୟୋଗ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବତନ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନଯାତ୍ରାରେ ସେମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇ ଏକ ସ୍ଵତନ୍ତ୍ର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆଲୁମନି ସାଥି ସମ୍ପର୍କ ଓ ସହଭାଗିତାର ଉତ୍ସବ ପରିବେଷଣ କରାଯିବ ବୋଲି ସୂଚନା ଯାଇଛି । ତାଳରେ ଏକତା ୟୁଜିଆଇଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଖୋଜିବା ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନର ବିଭିନ୍ନ ବିଭାଗ ମଧ୍ୟରେ ଏକ ଗ୍ରୁପ୍ ଡ୍ୟାନ୍ସ ପ୍ରତିଯୋଗିତା ୟୁଜିଆଇଇ ଡ୍ୟାନ୍ସ ଫୁଜନ ୨୦୨୭ ଆୟୋଜନ କରାଯିବ। ଏଥିସହିତ ୟୁଜିଆଇଇର ବିଭିନ୍ନ ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ଶିକ୍ଷାଗତ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯିବ। ଆଲୁମନି ମିଟ୍ ପ୍ରସ୍ତୁତି ସହିତ ୟୁଜିଆଇଇ ଆଲୁମନି ଆସୋସିଏସନ୍ ଅନୁଷ୍ଠାନର ସାମଗ୍ରିକ ବିକାଶ ଓ ଆଧୁନିକିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛି। ୟୁଜିଆଇଇ ଆଲୁମନି ଆସୋସିଏସନ୍ ପୃଷ୍ଠପୋଷକ ଇଂ ବିଶେଶ୍ଵର ଟୁଡୁଙ୍କ ନେତୃତ୍ୱରେ ଏକ ପ୍ରତିବିଧିମଣ୍ଡଳୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ସାକ୍ଷାତ କରି ୟୁଜିଆଇଇର ବିକାଶ ସମ୍ପର୍କିତ ବିଭିନ୍ନ ଆବଶ୍ୟକତା ଓ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ସେହି ଆଲୋଚନା ଫଳପ୍ରଦ ଓ ଉତ୍ସାହଜନକ ରହିଥିଲା ଏବଂ ଅନୁଷ୍ଠାନର ବିକାଶମୂଳକ ପ୍ରାଥମିକତାଗୁଡ଼ିକ ସମ୍ପର୍କରେ ସକାରାତ୍ମକ ପ୍ରତିକ୍ରିୟା ମିଳିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରି ୟୁଜିଆଇଇ ପରିସରରେ ପୂର୍ବରୁ ଥିବା ଛୋଟ ପ୍ରତିମୂର୍ତ୍ତି ବଦଳରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୨୦୨୬ ଅକ୍ଟୋବର ୧ରେ ସହଯୋଗ ଲୋଡ଼ିଥିଲେ। ମନ୍ତ୍ରୀ ଏହି ପ୍ରସ୍ତାବ ପ୍ରତି ସକାରାତ୍ମକ ମନୋଭାବ ପ୍ରକାଶ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆସୋସିଏସନ୍ ଆଶା ପ୍ରକାଶ କରିଛି ଯେ ପ୍ରତିମୂର୍ତ୍ତି ନିର୍ଦ୍ଧାରିତ ସମୟରେ ପହଞ୍ଚିବ ଏବଂ ଏହାର ସ୍ଥାପନା ଓ ଉଦ୍ଘାଟନ ୨୦୨୭ ଫେବୃଆରୀ ୭ ତାରିଖରେ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ୟୁଜିଆଇଇରେ ବଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା, ବିସ୍ତାରିତ ଶିକ୍ଷାଗତ ଆବଶ୍ୟକତା ଓ ଭବିଷ୍ୟତର ଭିତ୍ତିଭୂମି ବିକାଶକୁ ଦୃଷ୍ଟିରେ ରଖି ଆସୋସିଏସନ୍ ପକ୍ଷରୁ ଏକ ସମ୍ପୂର୍ଣ୍ଣ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ପାଇଁ ପ୍ରୟାସ କରାଯାଇଛି। ଏଥିପାଇଁ ଆସୋସିଏସନର ପୃଷ୍ଠପୋଷକ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ଜୁଏଲ ଓରାମ ଏବଂ ପୃଷ୍ଠପୋଷକ ରାଉରକେଲା ବିଧାୟକ ଇଂ ସାରଦା ପ୍ରସାଦ ନାୟକଙ୍କୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ପାଇଁ ଜଣେ ପରାମର୍ଶଦାତା ନିଯୁକ୍ତ କରିବା ନିମନ୍ତେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଉଭୟ ପୃଷ୍ଠପୋଷକ ଏ ବିଷୟରେ ଆଗ୍ରହ ପ୍ରକାଶ କରିବା ସହ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଆସୋସିଏସନ୍ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ଯେ, ଖୁବ ଶୀଘ୍ର ଏହି ମାଷ୍ଟର ପ୍ଲାନ୍ ଚୂଡ଼ାନ୍ତ ହୋଇ ୟୁଜିଆଇଇକୁ ମିଳିବ ଏବଂ ଏହା ଅନୁଷ୍ଠାନର ଭବିଷ୍ୟତ ସମ୍ପ୍ରସାରଣ ଓ ଭିତ୍ତିଭୂମି ବିକାଶ ପାଇଁ ଏକ ସୁସଂଗଠିତ ରୂପରେଖ ପ୍ରଦାନ କରିବ ବୋଲି ସୂଚନା ଦିଆଯାଇଛି । ୟୁଜିଆଇଇର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭ୍ରମଣ ଶିଳ୍ପାନୁଷ୍ଠାନ ପରିଦର୍ଶନ ଷ୍ଟଡି ଟୁର୍ ଏବଂ ଅନ୍ୟାନ୍ୟ ଶୈଳ୍ପୀକ କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ଆସୋସିଏସନ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଏକ ୪୦ ଆସନ ବିଶିଷ୍ଟ ବସ୍ ଯୋଗାଇ ଦେବା ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଏହି ପ୍ରସ୍ତାବ ପ୍ରତି ସକାରାତ୍ମକ ମନୋଭାବ ପ୍ରକାଶ କରିବା ସହ ବସ୍ ଯୋଗାଇଦେବାକୁ ସମ୍ମତି ଜଣାଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ପୂର୍ବତନ ଛାତ୍ରଛାତ୍ରୀ, ବିଶିଷ୍ଟ ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ଗଣମାଧ୍ୟମ ପ୍ରତିନିଧି ଓ ଶୁଭେନୁମାନଙ୍କୁ ୟୁଜିଆଇଇ ଟେକନୋଭା ୨୦୨୭ ଆୟୋଜନରେ ଯୋଗଦେବା ପାଇଁ ୟୁଜିଆଇଇ ଆଲୁମନି ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ୟୁଜିଆଇଇ ଆଲୁମନି ଆସୋସିଏସନର ସଭାପତି ବୈଲୋଚନ ସାମଲ, ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଣ୍ଡା, ଜିତେନ୍ଦ୍ର ଶତପଥୀ, ଲଳିଟେନ୍ଦୁ ମିଶ୍ର, ପ୍ରଭାତ ତ୍ରିପାଠୀ, ରଞ୍ଜିତ ଦାସ, ଶଶୀକାନ୍ତ ବେହେରା, ଅମର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆସୋସିଏସନ ପକ୍ଷରୁ ଏକ ପୋଷ୍ଟର ଉନ୍ମୋଚନ କରାଯାଇଥିଲା।

