ରାଉରକେଲା ୧୧/୯,(ଉତ୍କଳ ସମାଚାର) ଗତ ବୁଧବାର ସେପ୍ଟେମ୍ବର ୯ ତାରିଖ ସକାଳ ପ୍ରାୟ ୯ଟା ସମୟରେ ରାଉରକେଲା ରିଙ୍ଗ୍ ରୋଡର ଡିଏଭି ଛକରେ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଯୋଗେ ନିଜ ଘର ସେକ୍ଟର-୧୫ରୁ ତ୍ରୀନାଥ ସିନ୍ଦୁର (୫୬) ଆସୁଥିବା ବେଳେ ଗୁରୁତର ଆହତ ହୋଇଥିଲେ। ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ମୃତ୍ୟୁ ଘଟିଥିଲା। ମୃତ ତ୍ରୀନାଥ ସିନ୍ଦୁରଙ୍କ ଜଣେ ନାବାଳିକା ଝିଅ ଏବଂ ଜଣେ ନାବାଳକ ପୁତ୍ର ତନ୍ମୟ ସିନ୍ଦୂର ଅଛନ୍ତି।ଦୁର୍ଘଟଣାରେ ମୃତ ତ୍ରୀନାଥ ସିନ୍ଦୁରଙ୍କ ପୁଅ, ପରିବାର ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ପକ୍ଷରୁ କ୍ଷତିପୂରଣ ଦାବି କରି ଆଜି ରଘୁନାଥପାଲ୍ଲୀ ଥାନାକୁ ଘେରାଉ କରିଥିଲେ। ଏଥିସହିତ ଦୁର୍ଘଟଣା ଘଟାଇଥିବା ହାଇଓ୍ବାର ମାଲିକଙ୍କୁ ଥାନାକୁ ଡକାଇ ସମସ୍ୟାର ସମାଧାନ ସହ ତାଙ୍କ ଠାରୁ କ୍ଷତିପୂରଣ ନେବାକୁ ରଘୁନାଥପାଲ୍ଲୀ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ଏଥିରେ ବିରଜାପାଲ୍ଲୀରୁ ତ୍ରୀନାଥ ସିନ୍ଦୁରଙ୍କ ଶହ ଶହ ସମ୍ପର୍କୀୟ ଥାନାରେ ଜିଦ୍ ଧରି ରହିଥିଲେ।

