ସମ୍ବଲପୁର,୧୩/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ସୁସ୍ଥ ଶରୀର, ସୁସଂଗଠିତ ଜୀବନ ଓ ଦାୟିତ୍ୱବାନ ନାଗରିକତା ହିଁ ଏକ ସୁଦୃଢ଼ ରାଷ୍ଟ୍ରର ମୂଳ ଭିତ୍ତି। ଏହି ଲକ୍ଷ୍ୟ ନେଇ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଆନୁକୂଲ୍ୟରେ ଚାଲିଥିବା ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର-୨୦୨୬’ର ଦ୍ୱାବିଂଶତିତମ ରବିବାସରୀୟ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୪୨ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।ପ୍ରାର୍ଥନା ପରେ ପ୍ରଥମ ଅଧିବେଶନରେ ‘ଜୀବନ କୌଶଳ ଶିକ୍ଷା’ ଅନ୍ତର୍ଗତ ‘କର୍ତ୍ତବ୍ୟ ଓ ଦାୟିତ୍ୱବୋଧ’ ବିଷୟରେ ଆଲୋଚନା ହୋଇଥିଲା। ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଗିରିଧାରୀ ହୋତା ଦୈନନ୍ଦିନ ଜୀବନର ବିଭିନ୍ନ ଉଦାହରଣ ଦେଇ କହିଥିଲେ ଯେ, ଅଧିକାର ସହିତ କର୍ତ୍ତବ୍ୟର ସମନ୍ୱୟ ଏବଂ ସ୍ୱାଧୀନତା ସହିତ ଦାୟିତ୍ୱବୋଧ ରହିଲେ ହିଁ ଜୀବନ ଶୃଙ୍ଖଳିତ ହୁଏ। ଛୋଟ ଛୋଟ ଦାୟିତ୍ୱକୁ ନିଷ୍ଠାର ସହିତ ପାଳନ କରିବା ହେଉଛି ଭବିଷ୍ୟତର ବଡ଼ ଦାୟିତ୍ୱ ପାଇଁ ପ୍ରସ୍ତୁତି ବୋଲି ସେ ମତପ୍ରକାଶ କରିଥିଲେ।ଦ୍ୱିତୀୟ ଅଧିବେଶନରେ ‘ସ୍ୱାସ୍ଥ୍ୟ ସଚେତନତା ଶିକ୍ଷା’ ଅନ୍ତର୍ଗତ ‘ଆମ ହାଣ୍ଡିଶାଳ, ଆମରି ସ୍ୱାସ୍ଥ୍ୟ’ ବିଷୟରେ ଶିକ୍ଷଣୀୟ ଆଲୋଚନା କରିଥିଲେ ବିଶିଷ୍ଟ ଆୟୁର୍ବେଦ ବିଶେଷଜ୍ଞ ଡା. ରାଜାରାମ ଷଡ଼ଙ୍ଗୀ। ସେ କହିଥିଲେ ଯେ, ଉତ୍ତମ ସ୍ୱାସ୍ଥ୍ୟର ପ୍ରଥମ ପାଠ ହେଉଛି ଆମ ନିଜ ହାଣ୍ଡିଶାଳ। ଘରୋଇ, ସତେଜ, ସନ୍ତୁଳିତ ଓ ପୌଷ୍ଟିକ ଖାଦ୍ୟ ଶରୀରକୁ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।ସେ ଛାତ୍ରଛାତ୍ରୀଙ୍କୁ ବଜାରର ଅତ୍ୟଧିକ ତେଲ, ଲୁଣ, ଚିନି ଓ କୃତ୍ରିମ ଉପାଦାନଯୁକ୍ତ ଫାଷ୍ଟଫୁଡ୍ ଏବଂ ପ୍ୟାକେଟ୍ ଖାଦ୍ୟର ଅନିୟନ୍ତ୍ରିତ ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏପରି ଖାଦ୍ୟାଭ୍ୟାସ ଭବିଷ୍ୟତରେ ମୋଟାପଣ, ମଧୁମେହ, ରକ୍ତଚାପ ଓ ଅନ୍ୟାନ୍ୟ ଜୀବନଶୈଳୀ ଜନିତ ସମସ୍ୟାର ଆଶଙ୍କା ବଢ଼ାଇପାରେ ବୋଲି ସେ ସଚେତନ କରାଇଥିଲେ। ‘ଜିଭର ସ୍ୱାଦ ପାଇଁ ନୁହେଁ, ଶରୀରର ବଶ୍ୟକତା ପାଇଁ ଖାଦ୍ୟ ଚୟନ କର’ ବୋଲି ସେ ଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଥିଲେ।ଏହିଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ‘ଆନ୍ତର୍ଜାତୀୟ ଓଜୋନ୍ ଦିବସ’ ପାଳନ ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ବୋର୍ଡର ଆଞ୍ଚଳିକ ଅଧିକାରୀ ଡ. ସତ୍ୟ ନାରାୟଣ ନନ୍ଦ ଉପସ୍ଥିତ ରହି ପରିବେଶ ସୁରକ୍ଷା, ପଲିଥିନ୍ ବର୍ଜନ ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାରର ଗୁରୁତ୍ୱ ବୁଝାଇଥିଲେ। ପଲିଥିନ୍ ବ୍ୟବହାର ହ୍ରାସ କରିବାର ବାର୍ତ୍ତା ଦେଇ ସେ ସମସ୍ତଙ୍କୁ କପଡ଼ା ବ୍ୟାଗ୍ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରଘୁନାଥ ମିଶ୍ର, ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା, ଡା. ଜୟଦେବ ମେହେର, ଡ. ଅଶୋକ ହୋତା ଏବଂ ଇଂ. ସୁଶାନ୍ତ କୁମାର ଗୁରୁ ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୃଥ୍ୱୀରାଜ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ। ଅଫିସ ସହକାରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।

