ବାରମ୍ବାର ଆବେଦନ ସତ୍ତ୍ୱେ ମିଳୁନି ସରକାରୀ ସୁବିଧା, ୫ରୁ ୬ ବର୍ଷ ହେଲା ଅପେକ୍ଷା
ରାଇଘର: ନରସିଂବାଘ. ୧୩/୦୯.(ଉତ୍କଳ ସମାଚାର)ସରକାରଙ୍କ ପକ୍ଷରୁ ଗରିବ, ଅସହାୟ ଓ ବିଧବା ମହିଳାମାନଙ୍କ ପାଇଁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ରହିଛି। ହେଲେ ଏହାର ସୁଫଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛିନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କୁରାବେଡା ପଞ୍ଚାୟତ ଅଧୀନରେ ଥିବା କଳିଆପାଦର ଗ୍ରାମର ୨ ଜଣ ବିଧବା ମହିଳାଙ୍କ।ସୂଚନା ଅନୁଯାୟୀ, କଳିଆପାଦର ଗ୍ରାମର ଭାନୁମତି ହରିଜନ (୫୪), ଉର୍ମିଳା ହରିଜନ (୫୨) ବିଧବା ଭତ୍ତା ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ସୁବିଧା ପାଇନଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ୫ରୁ ୬ ବର୍ଷ ଧରି ସେମାନେ ଭତ୍ତା ପାଇବା ଆଶାରେ ଅପେକ୍ଷା କରିଥିବା କହିଛନ୍ତି।ସରକାରୀ ଯୋଜନାର ଲାଭ ପାଇବା ପାଇଁ ବାରମ୍ବାର ଆବେଦନ କରିବା ସତ୍ତ୍ୱେ କାହିଁକି ସେମାନଙ୍କୁ ବିଧବା ଭତ୍ତା ମିଳୁନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଗରିବ ଓ ଅସହାୟ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାରୁ ସେମାନେ କେବେ ସୁଫଳ ପାଇବେ, ତାହା ନେଇ ଅପେକ୍ଷାରେ ରହିଛନ୍ତି ଏହି ୨ ଜଣ ମା’।ଏନେଇ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଘଟଣାର ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ବିଧବା ଭତ୍ତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
