ବର୍ଷା ହେଲେ ରାସ୍ତାରେ ଜମୁଛି ପାଣି, ଯାତାୟାତରେ ଲୋକେ ହନ୍ତସନ୍ତ
ଉମରକୋଟ,13//9,(ଉତ୍କଳ ସମାଚାର) ଉତ୍କଳ ସମାଚାର.ନରସିଂବାଘ. ଉମରକୋଟ ସହରର ମୁଖ୍ୟ ରାସ୍ତାରେ ଅଳିଆ ଆବର୍ଜନା ଓ ନର୍ଦ୍ଦମା ପାଣି ଜମି ରହିଥିବା ଦୃଶ୍ୟ ଏବେ ସାଧାରଣ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। ରାସ୍ତା କଡ଼ରେ ବହୁ ପରିମାଣରେ ଅଳିଆ ଆବର୍ଜନା ପଡ଼ିରହିବା ସହ ବର୍ଷା ହେଲେ ଏହାର ଚାରିପାଖରେ ପାଣି ଜମି ଯାଉଛି। ଫଳରେ ପଥଚାରୀ ଓ ଦୁଇଚକିଆ ଯାନ ଚାଳକମାନେ ଯାତାୟାତ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଅଳିଆ ଆବର୍ଜନା ଯୋଗୁଁ ରାସ୍ତାର ପରିବେଶ ଅସ୍ୱାସ୍ଥ୍ୟକର ହେବା ସହ ଦୁର୍ଗନ୍ଧ ମଧ୍ୟ ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ବର୍ଷା ସମୟରେ ରାସ୍ତାରେ ଜମୁଥିବା ପାଣି ନିଷ୍କାସନ ପାଇଁ ସୁବ୍ୟବସ୍ଥିତ ଡ୍ରେନ୍ର ଆବଶ୍ୟକତା ରହିଛି।ସହରର ମୁଖ୍ୟ ରାସ୍ତାର ଏଭଳି ଅବସ୍ଥା ପ୍ରତି ଉମରକୋଟ ପୌରପାଳିକା କେବେ ଦୃଷ୍ଟି ଦେବ ଏବଂ ଅଳିଆ ଆବର୍ଜନା ସଫା କରିବ—ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ନିୟମିତ ସଫେଇ ସହ ଆବଶ୍ୟକ ସ୍ଥାନରେ ଡ୍ରେନ୍ ନିର୍ମାଣ କରାଗଲେ ଜଳ ନିଷ୍କାସନ ସମସ୍ୟା ଦୂର ହେବା ସହ ଲୋକେ ଉପକୃତ ହେବେ ବୋଲି ସ୍ଥାନୀୟ ମହଲରେ ଦାବି ହୋଇଛି
