ମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ମାନବ କଲ୍ୟାଣ ପାଇଁ ଆର୍ଦ୍ରଭୂମିର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ : ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳନ 

ରାଉରକେଲା// ୦୪/୦୨(ଉତ୍କଳ ସମାଚାର) //ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଫେବ୍ରୁଆରୀ ୨ ତାରିଖ ଅର୍ଥାତ୍‌ ଶୁକ୍ରବାର ଦିନ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରଫେସର ଡ ବିଜୟ ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ବିଭାଗୀୟ ମୁଖ୍ୟ ସମୀର ସୌରଭ ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଦିବସ ପାଳନ ସମ୍ପର୍କରେ ସୂଚନା ଦେଇଥିଲେ। ୧୯୭୧ ମସିହାରେ ଇରାନର କାସ୍ପିଆନ ସମୁଦ୍ର କୂଳରେ ଥିବା ରାମସାରଠାରେ ଆର୍ଦ୍ରଭୂମିର ଉପାଦେୟତା ଓ ମହତ୍ତ୍ବ ବିଷୟରେ ସମସ୍ତଙ୍କୁ ଅବଗତ କରିବା ପାଇଁ ଏକ ବୈଠକ ହୋଇଥିଲା। ଏହାପରେ ବିଶ୍ୱର ବିଭିନ୍ନ ଦେଶ ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଏହି କ୍ରମରେ ୧୯୯୭ରୁ‌ ବିଶ୍ବର ପ୍ରତ୍ୟେକ ଦେଶରେ ଫେବ୍ରୁଆରି ୨ ତାରିଖରେ ବିଶ୍ବ ଆର୍ଦ୍ରଭୂମି ଦିବସ ଭାବେ ପାଳନ କରାଯାଇ ଆସୁଥିବା ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ। ଅଧ୍ୟକ୍ଷ ଡ ବେହେରା ତାଙ୍କ ବକ୍ତବ୍ୟରେ ଆର୍ଦ୍ରଭୂମିର ସୁରକ୍ଷା ଓ ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ବିଶ୍ୱସ୍ତରରେ ଆରମ୍ଭ ହୋଇଥିବା ରାମସାର ଅଞ୍ଚଳଭାବେ ଚିଲିକା ହ୍ରଦ ୧୯୮୧ ମସିହାରେ ଦେଶର ପ୍ରଥମ ରାମସର୍ ସ୍ଥଳୀ ଭାବେ ସ୍ୱୀକୃତି ପାଇଥିଲା ବୋଲି କହିଥିଲେ। ଏହା ସହିତ ସମ୍ପ୍ରତି ସମଗ୍ର ଦେଶରେ ରହିଥିବା ୮୦ଟି ରାମସାର ସାଇଟ ବା ଅଞ୍ଚଳ ମଧ୍ୟରୁ ଓଡ଼ିଶାରେ ଚିଲିକା ସମେତ ଅଂଶୁପା ହ୍ରଦ, ଭିତରକନିକାର ହେନ୍ତାଳ ବନାଞ୍ଚଳ, ହୀରାକୁଦ ବନ୍ଧ ଜଳାଶୟ ଅଞ୍ଚଳ, ସାତକୋଶିଆ ଗଣ୍ଡ ଏବଂ ଗଞ୍ଜାମର ତାମ୍ପରା ହ୍ରଦ ଭଳି ୬ଟି ରାମସାର ଅଞ୍ଚଳ ସମ୍ପର୍କରେ ଡ ବେହେରା ସୂଚନା ଦେଇଥିଲେ। ଏହି ଅବସରରେ ବକ୍ତାଭାବେ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ଆମି ଜଶ୍‌ଲିନ କୁଜୁର ଆର୍ଦ୍ରଭୂମି ସମ୍ପର୍କରେ ସୂଚନା ଦେଇଥିଲେ। ଆର୍ଦ୍ରଭୂମି କହିଲେ ଆମେ ଓଦା ଭୂମିକୁ ବୁଝିଥାଉ। ଜଳ ଧାରଣ କ୍ଷମତା ବିଶିଷ୍ଟ ଅଳ୍ପ ଗଭୀର ଯେଉଁ ନିମ୍ନ ଭୂମିକୁ ଆମେ ବୁଝିଥାଉ, ତାହା ଜୀବ ପରିସଂସ୍ଥାନରେ ଏକ ପ୍ରମୁଖ ଭୂମିକା‌ ଗ୍ରହଣ କରିଥାଏ। ପାଣିର ଭଟ୍ଟା ସମୟରେ ଯେଉଁ ଅଞ୍ଚଳରେ ଛ’ ମିଟରରୁ କମ୍ ଗଭୀରତାର ଜଳ ସଞ୍ଚିତ ରହେ ତାହାକୁ ଆର୍ଦ୍ରଭୂମି କୁହାଯାଏ ବୋଲି ଶ୍ରୀମତୀ କୁଜୁର କହିଥିଲେ। ଏହା ଏପରି ଏକ ଭୂମି ଯିଏ ଉଭୟ ଜଳ ଓ ସ୍ଥଳକୁ ଆବୋରି ରହିଥାଏ। ଭାରତର ପରିସୀମା ଓ ଜନସଂଖ୍ୟା, ପ୍ରାଣୀ, ଉଦ୍ଭିଦ ସୁସ୍ଥ ପରିସଂସ୍ଥାନ ଦୃଷ୍ଟିରୁ ଏହି ଆର୍ଦ୍ରଭୂମି ଅଞ୍ଚଳ ବହୁତ କମ୍ ଯାହାକି ମାତ୍ର ୪.୭% ଅଟେ। ସମୁଦାୟ ପ୍ରାଣୀ ଜଗତ୍‌ ପାଇଁ ଏହି ଆର୍ଦ୍ରଭୂମି ବିଶେଷ ଭୂମିକା ନିର୍ବାହ କରୁଥିଲେ ମଧ୍ୟ ମଣିଷ ସମାଜର ଅପରିଣାମଦର୍ଶିତା ଯୋଗୁଁ ଜୀବ ପ୍ରଜନନ ଓ ପରିସଂସ୍ଥାନର ଅନୁକୂଳ ଏହି ଆର୍ଦ୍ର ଭୂମି ଅଞ୍ଚଳ ଏବେ ସଙ୍କୁଚିତ ହେବାରେ ଲାଗିଛି ବୋଲି ଶ୍ରୀମତୀ କୁଜୁର କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଲାରିକ ମହନ୍ତ, ରାଧା କୁମାରୀ ଓ ମଧୁସ୍ମିତା ପରିଡ଼ାଙ୍କ ସମେତ ଅଧ୍ୟାପକ ଆକାଶ କୁମାର ସାହୁଙ୍କ ସମେତ ବିଭାଗର ରାୟମଣି କିସ୍କୁ ଓ ଲମ୍ବୋଦର ନାୟକଙ୍କ ସମେତ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ନିଖିଳ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପିକା ଅଧ୍ୟାପକମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *