Uncategorized

ସେଲ୍ଫି ପଏଣ୍ଟରେ ଭୋଟର ସଚେତନତା

କେନ୍ଦୁଝରଗଡ଼,୨୭/୪ (ଉତ୍କଳ ସମାଚାର): ଆସନ୍ତା ମଇ ୨୫ ତାରିଖରେ କେନ୍ଦୁଝର ଜିଲ୍ଲାରେ ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାବ୍ୟାପୀ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଅଛି। ସମାନଭାବେ କେନ୍ଦୁଝରଗଡ଼ ପୌରପାଳିକାରେ ମଧ୍ୟ ଶନିବାର ବିଭିନ୍ନ ସ୍ଥାନରେ ନିଆରା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କେନ୍ଦୁଝରଗଡ଼ ପୌରପାଳିକା ତରଫରୁ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସେଲ୍ଫି ପଏଣ୍ଟ ସ୍ଥାପନ କରାଯାଇ ନିର୍ବାଚନୀ ସଚେତନତା ପାଇଁ ପ୍ରୟାସ କରାଯାଇଛି। ଶନିବାର ପୌରପାଳିକାର ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ଠାରେ ସକାଳ ସମୟରେ ବ୍ୟାୟାମ ପାଇଁ ଆସୁଥିବା ଭୋଟରମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେହିଭଳି ନିଜିଗଡ଼ ସ୍ଥିତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ନିୟୋଜିତ କର୍ମଚାରୀମାନଙ୍କୁ ନେଇ ଏକ ନିର୍ବାଚନ ସଚେତନତା କାର୍ଯ୍ୟକ୍ରମ (SVEEP) ମଧ୍ୟ କରାଯାଇଥିଲା। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିଲେଟ ଶକ୍ତି କାଫେରେ ମଧ୍ୟ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାଫେରେ ନିୟୋଜିତ ମିଶନ ଶକ୍ତି ଏସଏଚଜିର ମାଆ ମାନେ ଏଥିରେ ଅଂଶଗ୍ରହଣ କରି ହାତରେ ନିର୍ବାଚନୀ ସଚେତନତା ପୋଷ୍ଟର ଏବଂ ପ୍ଲାକାର୍ଡ ଧରି ଭୋଟର ମାନଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି।

Leave a Reply

Your email address will not be published. Required fields are marked *