ସମ୍ବଲପୁର,୨୫/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ମହାନଗର ନିଗମର ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ସିନ୍ଦୂରପଙ୍କ ଗ୍ରାମସ୍ଥିତ ମାଁ ପିତାବଳୀଙ୍କ ପୀଠରେ ନବରାତ୍ରି ପୂଜା ଭକ୍ତିମୟ ପରିବେଶରେ ସମାପନ ହୋଇଛି। ଏହି ଅବସରରେ ପୀଠରେ ବିଭିନ୍ନ ଧାର୍ମିକ ରୀତିନୀତି, ଚଣ୍ଡୀପାଠ, ହୋମ, ଆରତୀ ଓ ଭଜନକୀର୍ତ୍ତନ ଆୟୋଜିତ ହୋଇଥିଲା। ମା’ଙ୍କ ଦର୍ଶନ ଓ ସନ୍ଧ୍ୟା ଆରତୀରେ ଯୋଗଦେବା ପାଇଁ ଦୂରଦୂରାନ୍ତରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ପୂଜାରେ ଅମ୍ବରୀଶ ସାହୁ ଓ ତାଙ୍କ ପତ୍ନୀ ସୁମନ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ମୁଖ୍ୟ ପୂଜକ ଭାବେ ସୁଶାନ୍ତ ସାହୁ ପୂଜାର୍ଚ୍ଚନା କରିଥିବା ବେଳେ ଲକ୍ଷ୍ମଣ ପଣ୍ଡା ଚଣ୍ଡୀପାଠ କରିଥିଲେ। ବାହ୍ୟ ପୂଜାରେ ଲୋକନାଥ, ଶକ୍ତି ଓ ପ୍ରିନ୍ସ ସହଯୋଗ କରିଥିଲେ। ଏହି ଅବସରରେ ୧୯୦ଟି ମାନସିକ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପୂଜାର ପ୍ରତ୍ୟେକ ଦିନ ମଧ୍ୟାହ୍ନ ଓ ସନ୍ଧ୍ୟାରେ ଶତାଧିକ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଉଥିଲା। ସନ୍ଧ୍ୟା ଆରତୀ ପରେ ଭଜନକୀର୍ତ୍ତନର ଆୟୋଜନ ଭକ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଭରିଦେଇଥିଲା। ଅମାବାସ୍ୟା ଦିନ ବାଜା, ଘଣ୍ଟ ଓ ଶଙ୍ଖଧ୍ୱନି ମଧ୍ୟରେ ଶ୍ରଦ୍ଧାଳୁମାନେ କଳସ ଯାତ୍ରାରେ ସାମିଲ ହୋଇଥିଲେ। ନବମୀ ଦିନ ହୋମ ସମାପନ ପରେ ମାନସିକ ଦୀପ ଓ କଳସ ବିସର୍ଜନ କରାଯାଇଥିଲା।ଏହି ଧାର୍ମିକ କାର୍ଯ୍ୟକ୍ରମରେ ମନ୍ଦିର ସଭାପତି ବିନୟ କରଙ୍କ ସହ ମୋହନ ଧର, ନିର୍ମଳ କର, ବିକି ପାଢ଼ୀ, ପ୍ରଭଞ୍ଜନ ନାଥ, ରଜତ ପତି, ତନ୍ମୟ ଧର, କିଶନ ଦାସ, ତାନିସ କେଡ଼ିଆ, ନିଗମ ଓ ନିକୁଣଙ୍କ ସମେତ ଗ୍ରାମର ସମସ୍ତ ଅଧିବାସୀ ସହଯୋଗ କରିଥିଲେ। ମାଁ ପିତାବଳୀଙ୍କ ନବରାତ୍ରି ପୂଜା ଗ୍ରାମରେ ଧାର୍ମିକ ଚେତନା, ଭକ୍ତିଭାବ ଓ ସାମାଜିକ ଏକତାର ବାର୍ତ୍ତା ପ୍ରସାର କରିଥିଲା।

