ସମ୍ବଲପୁର,୩୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଲକ୍ଷ୍ମୀ ଡୁଙ୍ଗୁରୀସ୍ଥିତ ସମ୍ବଳକ ଉଦ୍ୟାନରେ ଗୁରୁ ପଦ୍ମସମ୍ଭବ ପ୍ରଚାର ସମିତି ପକ୍ଷରୁ ୧୧ତମ ସମର୍ପଣ ଉତ୍ସବ ଆୟୋଜିତ ହୋଇଯାଇଛି। ସମିତିର ଆବାହକ ଭବାନୀଶ ଭୋଇଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ଦେବୀପ୍ରସାଦ ଭୋଇ ଗୁରୁ ପଦ୍ମସମ୍ଭବ, ରାଜା ଇନ୍ଦ୍ରଭୂତି ଓ ସାଧ୍ୱୀ ଲକ୍ଷ୍ମୀଙ୍କରାଙ୍କ ନାମରେ ସମର୍ପିତ ବୃକ୍ଷଗୁଡ଼ିକର ପୂଜାର୍ଚ୍ଚନା କରିଥିଲେ।ଅତିଥି ଭାବେ ଯୋଗଦେଇ ଖଡ଼ିଆ ସମାଜର ତରଣୀ ଖଡ଼ିଆ କହିଥିଲେ, ପଶ୍ଚିମାଞ୍ଚଳର ଆଦିମ ଅଧିବାସୀଙ୍କ ତନ୍ତ୍ରବିଦ୍ୟାକୁ ଗୁରୁ ପଦ୍ମସମ୍ଭବ ବିଶ୍ୱବ୍ୟାପୀ ପ୍ରସାର କରିଥିଲେ। ଜନାର୍ଦ୍ଦନ ବାର୍ଗେ ତାଙ୍କୁ ସମ୍ବଲପୁର ମାଟିର ଗର୍ବ ବୋଲି ଅଭିହିତ କରିଥିଲେ। ଭାରତୀ ସମାଜର ଦିଲ୍ଲୀ ସଂଯୋଜକ ଡ. ଅଭିଳାଷ ପ୍ରଧାନ ହିମାଳୟ ଅଞ୍ଚଳରେ ଗୁରୁ ପଦ୍ମସମ୍ଭବଙ୍କୁ ‘ଦ୍ୱିତୀୟ ବୁଦ୍ଧ’ ଭାବେ ଦିଆଯାଉଥିବା ସମ୍ମାନ ବିଷୟରେ ଆଲୋକପାତ କରିଥିଲେ।ଆବାହକ ଭବାନୀଶ ଭୋଇ ଗତ ଦଶ ବର୍ଷ ଧରି ଭାରତୀ ସମାଜ ଓ ଗୁରୁ ପଦ୍ମସମ୍ଭବ ପ୍ରଚାର ସମିତି ପକ୍ଷରୁ ଗୁରୁଙ୍କ ସମ୍ପର୍କରେ ଚାଲିଥିବା କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ। ଭାରତୀ ସମାଜର କ୍ଷେତ୍ରୀୟ ସଂଯୋଜକ ଡ. ସ୍ୱୟଂପ୍ରକାଶ ପଣ୍ଡା ସମ୍ବଲପୁରର ପୁରାତନ ଐତିହ୍ୟକୁ ଉଜାଗର କରିବା ପାଇଁ ଲକ୍ଷ୍ମୀ ଡୁଙ୍ଗୁରୀରେ ‘ସମ୍ବଳକ ଉଡ୍ଡୀୟାନ’ ନାମରେ ପ୍ରକୃତି ଉଦ୍ୟାନ ନିର୍ମାଣ କରିବା ଦାବି ଦୋହରାଇଥିଲେ। ଭାରତୀ ସମାଜର ମହାସଚିବ ଗୋପବନ୍ଧୁ ସେନାପତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଐତିହ୍ୟସ୍ଥଳୀ ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ସମିତିର ଉଦ୍ୟମ ବିଷୟରେ କହିଥିଲେ।ନଭେମ୍ବର ୧ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ଆଲୋଚନାଚକ୍ର ଆୟୋଜିତ ହେବ। ଏହା ପଶ୍ଚିମ ଓଡ଼ିଶାର ଐତିହ୍ୟସ୍ଥଳୀ ଓ ବୌଦ୍ଧ ପୀଠଗୁଡ଼ିକ ମଧ୍ୟରେ ସମନ୍ୱୟ ସ୍ଥାପନରେ ସହାୟକ ହେବ ବୋଲି ଯାଦବ ସମାଜର ସୁରେନ୍ଦ୍ର ବଗର୍ତ୍ତି କହିଥିଲେ।ଆଲୋଚନାଚକ୍ରରେ ପଶ୍ଚିମାଞ୍ଚଳର ବିଭିନ୍ନ ଅଞ୍ଚଳର ସପ୍ତମ ଶତାବ୍ଦୀର ଇତିହାସ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଲୋକକଥା ଓ ଐତିହାସିକ ତଥ୍ୟ ସଂଗ୍ରହ କରାଯିବ। ଏଥିସହ ପଶ୍ଚିମ ଓଡ଼ିଶାର ବୌଦ୍ଧ କରିଡର୍ର ବିକାଶ ଓ ପର୍ଯ୍ୟଟନକୁ ଆଗେଇ ନେବା ଉପରେ ମଧ୍ୟ ଆଲୋଚନା ହେବ। କାର୍ଯ୍ୟକ୍ରମରେ ସମିତି ସଦସ୍ୟ ସୁବ୍ରତ ପ୍ରଧାନ, ଭାରତ ଏକତା ମିଶନର ଲଙ୍କେଶ ରାବଣ, ମହେଶ୍ୱର ଷଣ୍ଢ, ରଘୁ ପାତ୍ର ଓ ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
