କେନ୍ଦୁଝର,2//11,(ଉତ୍କଳ ସମାଚାର) : କେନ୍ଦୁଝର ଜିଲ୍ଲାରେ ତାଇକୋଣ୍ଡୋ କ୍ରୀଡ଼ାର ପ୍ରଚାର, ପ୍ରସାର ଓ ଯୁବ ପ୍ରତିଭାଙ୍କ ବିକାଶ ଉଦ୍ଦେଶ୍ୟରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଷୋଡ଼ଶତମ ରଙ୍ଗୀନ ବେଲ୍ଟ ଓ ବ୍ଲାକ୍ ବେଲ୍ଟ ପଦୋନ୍ନତି ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ କେନ୍ଦୁଝର ଓ ଓଡ଼ିଶା ତାଇକୋଣ୍ଡୋ ସଂଘ, ପୁରୀର ମିଳିତ ଆନୁକୂଲ୍ୟରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା।ଏହି ପରୀକ୍ଷାରେ ଏଲାଇଟ୍ ତାଇକୋଣ୍ଡୋ ଏକାଡେମୀ ଓ ପ୍ୟାସନ୍ ତାଇକୋଣ୍ଡୋ ଏକାଡେମୀର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ମୋଟ ୮୦ଟି ବେଲ୍ଟ ପଦୋନ୍ନତି ପାଇଁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ସମୟରେ ପ୍ରତିଯୋଗୀମାନେ ନିଜର ଶାରୀରିକ ଦକ୍ଷତା, ଆତ୍ମରକ୍ଷା କୌଶଳ, ତାଇକୋଣ୍ଡୋର ବିଭିନ୍ନ ଟେକ୍ନିକ୍, ପୁମ୍ସେ, ଶୃଙ୍ଖଳା ଓ ଆତ୍ମବିଶ୍ୱାସର ପରିଚୟ ଦେଇଥିଲେ।ଏହି ପଦୋନ୍ନତି ପରୀକ୍ଷା ଚତୁର୍ଥ ଡାନ୍ ବ୍ଲାକ୍ ବେଲ୍ଟଧାରୀ, ଆନ୍ତର୍ଜାତୀୟ ତାଇକୋଣ୍ଡୋ ମାଷ୍ଟର ତଥା କୁକିୱନ୍ ପୁମ୍/ଡାନ୍ ପରୀକ୍ଷକ ମାଷ୍ଟର ମୌଳୀନ୍ଦୁ କୁମାର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମୂଲ୍ୟାୟନରେ ପରିଚାଳିତ ହୋଇଥିଲା। ସେ ଛାତ୍ରଛାତ୍ରୀଙ୍କ କୌଶଳ, ଶୃଙ୍ଖଳା, ଶାରୀରିକ ସାମର୍ଥ୍ୟ ଓ ତାଇକୋଣ୍ଡୋ ସମ୍ପର୍କିତ ଜ୍ଞାନର ମୂଲ୍ୟାୟନ କରିବା ସହ ନିୟମିତ ଅଭ୍ୟାସ, ଏକାଗ୍ରତା ଓ ଆତ୍ମବିଶ୍ୱାସ ମାଧ୍ୟମରେ ଉତ୍କର୍ଷ ହାସଲ କରିବାକୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନିରନ୍ତର ଉତ୍ତମ ପ୍ରଶିକ୍ଷଣ, ମାର୍ଗଦର୍ଶନ ଓ ପ୍ରେରଣା ପ୍ରଦାନ କରିଆସୁଥିବା କୋଚ୍ ମନୀଷ ପ୍ରସାଦ ଓ କୋଚ୍ ରୋହିତ ପ୍ରସାଦଙ୍କ ଅବଦାନକୁ ବିଶେଷ ପ୍ରଶଂସା କରାଯିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଯାଇଥିଲା।ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା ଯେ, ତାଇକୋଣ୍ଡୋ କେବଳ ଏକ ଆତ୍ମରକ୍ଷା କଳା ନୁହେଁ, ବରଂ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ଧୈର୍ଯ୍ୟ, ସମ୍ମାନବୋଧ, ମାନସିକ ଦୃଢ଼ତା ଓ ନେତୃତ୍ୱ ଗୁଣର ବିକାଶ କରିଥାଏ। ଏଭଳି ପଦୋନ୍ନତି ପରୀକ୍ଷା ନବୀନ ପ୍ରତିଭାଙ୍କୁ ନିଜ ଦକ୍ଷତା ପ୍ରମାଣ କରିବା ସହ ଆଗାମୀ ଦିନରେ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିବା ପାଇଁ ପ୍ରେରଣା ଯୋଗାଇଥାଏ।ପରିଶେଷରେ ଏହି ପରୀକ୍ଷାର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତ ପ୍ରଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କୁ ଆୟୋଜକଙ୍କ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରାଯିବା ସହ ଅଂଶଗ୍ରହଣକାରୀଙ୍କ ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରାଯାଇଥିଲା।
