ନବରଙ୍ଗପୁର, ୦୨.୧୧.୨୦୨୬:(ଉତ୍କଳ ସମାଚାର)ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ଏବଂ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ବର୍ଷା ସତର୍କ ସୂଚନାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସମଗ୍ର ଜିଲ୍ଲାରେ ସତର୍କ ରହିବା ସହ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧିକ ତ୍ୱରାନ୍ୱିତ କରିଛି। ବିଶେଷକରି ଜନସଚେତନତା, ସମୟୋଚିତ ସ୍ଥାନାନ୍ତରଣ ନିମନ୍ତେ ପ୍ରସ୍ତୁତି ଏବଂ ବିପଦସଙ୍କୁଳ ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଆଜି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଓ ଚାଲିଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ସହ ଜିଲ୍ଲାର ତୃଣମୂଳ ସ୍ତରରେ ପ୍ରସ୍ତୁତି ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି।ସ୍ଥାନୀୟ ସ୍ତରରେ ସମନ୍ୱୟ ଓ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ସମନ୍ୱୟ ବୈଠକ ଆୟୋଜନ ଉପରେ ଗୁରୁତ୍ୱ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ନିର୍ବାହୀ ଅଧିକାରୀ ମାନଙ୍କୁ ବାତ୍ୟାର ସ୍ଥିତି ଓ ଭାରତୀୟ ପାଣିପାଗ ବିଭାଗର ପାଣିପାଗ ସତର୍କ ସୂଚନା ସମ୍ପର୍କରେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜନସଚେତନତା ଅଭିଯାନର ଅଂଶସ୍ୱରୂପ ବିପଦସଙ୍କୁଳ ଓ ତଳିଆ ଅଞ୍ଚଳଗୁଡ଼ିକରେ ମାଇକ୍ ଯୋଗେ ପ୍ରଚାର ଏବଂ ସଚେତନତା କାର୍ଯ୍ୟ ଜାରି ରହିଛି। ବିଶେଷକରି କଚ୍ଚା ଘରେ ରହୁଥିବା ଏବଂ ପାହାଡ଼ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିବା, ବିପଦସଙ୍କୁଳ ପରିବାରଗୁଡ଼ିକୁ ଚିହ୍ନଟ କରିବା ଏବଂ ସୁରକ୍ଷିତ ସ୍ଥାନାନ୍ତରଣରେ ସହାୟତା କରୁଛନ୍ତି।ପୂର୍ବରୁ ପ୍ରସ୍ତୁତ ସ୍ଥାନାନ୍ତରଣ ଯୋଜନା ଓ ବିପଦସଙ୍କୁଳ ଅଞ୍ଚଳର ଆକଳନ ଅନୁଯାୟୀ ସମସ୍ତେ ସଜାଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଆଗାମୀ ଦୁଇ ସପ୍ତାହ ମଧ୍ୟରେ ପ୍ରସବ ତାରିଖ ଥିବା ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ସହ ସେମାନଙ୍କ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ କମ୍ବଳ ଆଦିର ଉପଯୁକ୍ତ ବ୍ୟବସ୍ଥା କରିବାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି।ସମସ୍ତ ନିର୍ଦ୍ଧାରିତ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଆଶ୍ରୟ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ସହ ସେଠାରେ ବିଶୁଦ୍ଧ ପାନୀୟ ଜଳ, ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ପରିମଳ ଓ ପରିଚ୍ଛନ୍ନତା ବଜାୟ ରଖିବା ସହ ଆବଶ୍ୟକତା ଅନୁଯାୟୀ ସ୍ଥାନୀୟ ସ୍ତରରେ କମ୍ବଳ ଯୋଗାଡ଼ କରିବାକୁ ମଧ୍ୟ କୁହାଯାଇଛି।ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ପୂର୍ବ ପ୍ରସ୍ତୁତ ସ୍ଥାନାନ୍ତରଣ ଯୋଜନାକୁ ସକ୍ରିୟ ରଖିବା, ପରସ୍ପର ମଧ୍ୟରେ ସମନ୍ୱୟ ବଜାୟ ରଖିବା ଏବଂ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ, କଚ୍ଚା ଘର ଏବଂ ଅନ୍ୟାନ୍ୟ ବିପଦସଙ୍କୁଳ ସ୍ଥାନରେ ରହୁଥିବା ସମସ୍ତ ଜନସାଧାରଣଙ୍କୁ ସତର୍କ ରହିବା, ସରକାରୀ ସତର୍କ ସୂଚନା ଓ ପରାମର୍ଶ ମାନିବା ସହ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ ସମୟରେ ପ୍ରଶାସନିକ କର୍ମଚାରୀମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଉଛି।

