ନବରଙ୍ଗପୁର, ୦୨.୧୧.୨୦୨୬:(ଉତ୍କଳ ସମାଚାର)ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟଠାରେ ଆୟୋଜିତ ମିଳିତ ଜନ ଅଭିଯୋଗ ଶୁଣାଣିରେ ବେଆଇନ ମଦ ବିକ୍ରି ସମ୍ପର୍କରେ ଅଭିଯୋଗ ନେଇ ଆସିଥିବା ମହିଳାମାନଙ୍କୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ କଶ୍ୟପ ପାର୍ଥ ଜଗଦୀଶ ଆଶ୍ୱାସନା ଦେଇ କହିଛନ୍ତି ଯେ, ବେଆଇନ ମଦ ବିକ୍ରି ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ଏଥିସହ ଜିଲ୍ଲାର ଜନସାଧାରଣ ବେଆଇନ ମଦ ବିକ୍ରି ସମ୍ପର୍କିତ କୌଣସି ସୂଚନା ପାଇଲେ ତୁରନ୍ତ ପ୍ରଶାସନକୁ ଅବଗତ କରାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି, ଯାହାଦ୍ୱାରା ତୁରନ୍ତ ଚଢ଼ାଉ ଓ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରିବ।ଶୁଣାଣି ସମୟରେ ମହିଳାମାନେ ଭାଟିସାଲଗୁଡ଼ା ଏବଂ ଡାବୁଗାଁ ବ୍ଲକରେ ଥିବା ଗୋଟିଏ ଲେଖାଏଁ ମଦ ଦୋକାନର ନବୀକରଣ ପ୍ରକ୍ରିୟା ପାଇଁ ପ୍ରକାଶିତ ଟେଣ୍ଡର ବିଜ୍ଞପ୍ତିକୁ ବାତିଲ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଉକ୍ତ ଦାବିପତ୍ରକୁ ସରକାରଙ୍କ ନିକଟକୁ ପ୍ରେରଣ କରାଯିବ ଏବଂ ସରକାରଙ୍କ ସ୍ତରରେ ଏ ସମ୍ପର୍କରେ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ।
