ସମ୍ବଲପୁର,୦୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ରେ ନୂତନ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ଭାବେ ବରଗଡ଼ର ପୂର୍ବତନ ତଥା ନିଲମ୍ବିତ ବିଇଓ ସୁରେନ୍ଦ୍ର ସାହୁଙ୍କୁ ଅବସ୍ଥାପିତ କରିବା ଉଦ୍ୟମକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ନିଯୁକ୍ତିକୁ ବିରୋଧ କରି ରେଙ୍ଗାଲି ବ୍ଲକ୍ବାସୀ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଅଭିଯୋଗପତ୍ର ପ୍ରଦାନ କରିବା ସହ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ, ଶ୍ରୀ ସାହୁ ବରଗଡ଼ ବିଇଓ ଭାବେ କାର୍ଯ୍ୟରତ ଥିବା ସମୟରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଭଳି ସଙ୍ଗିନ ଅଭିଯୋଗରେ ଛନ୍ଦି ହୋଇଥିଲେ। ତଦନ୍ତକାରୀ ଅଧିକାରୀଙ୍କ ଏତଲା ଆଧାରରେ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ସହ ସେ ଜେଲ୍ ଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ବରଗଡ଼ ଦୌରାଜଜ୍ ତାଙ୍କ ଜାମିନ ଆବେଦନ ଖାରଜ କରିଥିବା ବେଳେ ମାମଲାଟି ଏବେ ବିଚାରାଧୀନ ରହିଛି ବୋଲି ଦାବି କରାଯାଇଛି। କେବଳ ବରଗଡ଼ ନୁହେଁ, ପୂର୍ବରୁ ହିମଗିରି ବ୍ଲକ୍ରେ କାର୍ଯ୍ୟରତ ଥିବା ସମୟରେ ମଧ୍ୟ ତାଙ୍କ ନାମରେ ବିଭିନ୍ନ ଅଭିଯୋଗ ରହିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହି ଅଭିଯୋଗ ଯୋଗୁଁ ତାଙ୍କୁ ସାକ୍ଷୀଗୋପାଳକୁ ବଦଳି କରାଯାଇଥିବା ଉଲ୍ଲେଖ ରହିଛି। ସେହିପରି ସୁନ୍ଦରଗଡ଼ରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଏବଂ ସମ୍ବଲପୁର ଧନକଉଡ଼ା ବ୍ଲକ୍ରେ ମଧ୍ୟ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ଏଭଳି ଜଣେ ବିବାଦୀୟ ଅଧିକାରୀଙ୍କୁ ପୁନର୍ବାର ସରକାରୀ ଚାକିରିରେ ଥଇଥାନ କରି ରେଙ୍ଗାଲି ବ୍ଲକ୍କୁ ପଠାଇବା ଉଦ୍ୟମକୁ ଗ୍ରାମବାସୀ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଯଦି ପ୍ରଶାସନ ତାଙ୍କୁ ରେଙ୍ଗାଲିରେ ନିଯୁକ୍ତି ଦିଏ, ତେବେ ବିଇଓ କାର୍ଯ୍ୟାଳୟରେ ତାଲା ପକାଯିବ ଏବଂ କୌଣସି ପରିସ୍ଥିତିରେ ତାଙ୍କୁ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି। ଏହି ନିଯୁକ୍ତିକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଅଭିଯୋଗପତ୍ରରେ ଜଣାଇ ଦିଆଯାଇଛି।
