ସମ୍ବଲପୁର,୦୭/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଚିତ୍ର ଅତ୍ୟନ୍ତ ଚିନ୍ତାଜନକ। ଜିଲ୍ଲାରେ ମଞ୍ଜୁରୀପ୍ରାପ୍ତ ୫୧୦ଟି ଡାକ୍ତର ପଦବୀ ମଧ୍ୟରୁ ୩୫୭ଟି ଖାଲି ପଡ଼ିଥିବା ବେଳେ ମାତ୍ର ୧୫୩ଟି ପଦବୀରେ ଡାକ୍ତର ନିଯୁକ୍ତ ଅଛନ୍ତି। ଅର୍ଥାତ୍ ପ୍ରାୟ ୭୦ ପ୍ରତିଶତ ଡାକ୍ତର ପଦବୀ ଖାଲି ରହିଛି। ଅନ୍ୟପକ୍ଷରେ, ୨୧.୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଟ୍ରମା କେୟାର ସେଣ୍ଟର ଏଯାଏଁ କାର୍ଯ୍ୟକ୍ଷମ ହୋଇନଥିବା ପ୍ରସଙ୍ଗ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି।ଜିଲ୍ଲାର ସ୍ୱାସ୍ଥ୍ୟସେବାର ଏଭଳି ଦୁରବସ୍ଥା, ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କ ଖାଲି ପଦବୀ ସମେତ ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ସମ୍ବଲପୁର ପ୍ରଗତିଶୀଳ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସି.ଡି.ଏମ.ଓ) ଡା. ନୀଳମାଧବ ଶତପଥିଙ୍କୁ ଭେଟିଥିଲେ। ସି.ଡି.ଏମ.ଓଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ।ଆଲୋଚନା ସମୟରେ ଜିଲ୍ଲାରେ ଡାକ୍ତରଙ୍କ ଘୋର ଅଭାବ ସମ୍ପର୍କରେ ବିଭାଗୀୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସମ୍ବଲପୁର ଜିଲ୍ଲାରେ ମୋଟ ୫୧୦ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୩୫୭ଟି ଖାଲି ରହିଛି। ସେହିପରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡି.ଏଚ.ଏଚ)ରେ ୧୨୪ଟି ପଦବୀ ମଧ୍ୟରୁ ୯୦ଟି, କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ୪୯ଟିରୁ ୩୧ଟି ଏବଂ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ୪୯ଟିରୁ ୩୪ଟି ଡାକ୍ତର ପଦବୀ ଖାଲି ପଡ଼ିଥିବା ତଥ୍ୟ ସାମ୍ନାକୁ ଆସିଥିଲା।ଏହାସହ ୨୧.୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ନହେବା ପ୍ରସଙ୍ଗ ଉଠାଯାଇଥିଲା। ୧୧ ଜାନୁଆରୀ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାର ଉଦ୍ଘାଟନ କରିଥିଲେ ମଧ୍ୟ ଏଯାଏଁ ଏହା ରୋଗୀସେବାରେ ନିୟୋଜିତ ହୋଇନାହିଁ। ଏ ସମ୍ପର୍କରେ ସି.ଡି.ଏମ.ଓ କହିଥିଲେ ଯେ, ଉଦ୍ଘାଟନ ସମୟରେ ସେ ଦାୟିତ୍ୱରେ ନଥିଲେ ଏବଂ ଏହି କେନ୍ଦ୍ର ସମ୍ପର୍କରେ ତାଙ୍କ ପାଖରେ ବିଶେଷ ତଥ୍ୟ ନାହିଁ।ଅନ୍ୟପକ୍ଷରେ, ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କ ପଦବୀ ପୂରଣ ପାଇଁ ସେ ନିୟମିତ ଭାବେ ସରକାରଙ୍କୁ ଅବଗତ କରୁଛନ୍ତି ବୋଲି ସି.ଡି.ଏମ.ଓ କହିଥିଲେ। ଏନେଇ ପ୍ରତିମାସରେ ଚିଠି ଓ ରିପୋର୍ଟ ପଠାଯାଉଥିବା ସେ ସୂଚନା ଦେଇଥିଲେ। ତେଣୁ ଖାଲି ପଦବୀ ପୂରଣ କରିବା ଏବେ ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପ ଉପରେ ନିର୍ଭର କରୁଛି।ବୈଠକରେ ଡି.ଏଚ.ଏଚର ପୁରୁଣା ଓ.ପି.ଡି କୋଠାର ନବୀକରଣ ପରେ ମଧ୍ୟ ଏହା ଅବ୍ୟବହୃତ ହୋଇ ପଡ଼ିରହିଥିବା, ରେଢ଼ାଖୋଲ ରକ୍ତଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା, ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବାରେ ଅବ୍ୟବସ୍ଥା ଏବଂ ଅଚଳ ଆମ୍ବୁଲାନ୍ସଗୁଡ଼ିକର ମରାମତି ଭଳି ସମସ୍ୟା ଉଠାଯାଇଥିଲା।ଏଥିସହ ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ନର୍ସିଂ ଅଫିସର, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ ଓ ମହିଳା), ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ, ଲାବୋରେଟୋରୀ ଟେକ୍ନିସିଆନ (ଏଲ୍.ଟି) ଏବଂ ରେଡିଓଗ୍ରାଫରଙ୍କ ଖାଲି ପଦବୀ ତୁରନ୍ତ ପୂରଣ କରିବାକୁ ଦାବି ହୋଇଥିଲା।ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ରହିଥିବା ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି।ଏହି ପ୍ରତିନିଧି ଦଳରେ ଗୋକୁଳ ମେହେର, ସଞ୍ଜିତ ମହାନ୍ତି, ଗଦାଧର କୁଅଁର, ଶିବଶଙ୍କର ନନ୍ଦ, ପ୍ରିୟରଞ୍ଜନ ସାହୁ, ଭି. ରାମ ରାଓ, ଲଳିତ ପଟ୍ଟନାୟକ, ଅରୁଣ କୁମାର ଖୁଣ୍ଟିଆ, ମହେଶ୍ୱର ଷଣ୍ଢ, ମହମ୍ମଦ ସନାଉଲ୍ଲା, ଅଶୋକ ପଟେଲ, ନଟୁ ଗୋପାଳ, ମହମ୍ମଦ ଅଜିମ ଅଜ୍ଜୁ, ପ୍ରଶାନ୍ତ ଥାପା, ମହେଶ ସାଇତା, ବାଲ୍ମୀକି ନାୟକ, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଦୁଲାଲ ଚନ୍ଦ୍ର ରାୟ, ନିଖିଳ ବାବୁ, ତୃପ୍ତିମୟୀ ପଣ୍ଡା, ବିକ୍ରମ ରଞ୍ଜିତ, ପ୍ରିୟଭଦ୍ର ପୃଷ୍ଟି, ଭାସ୍କର ନାଏକ ଓ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

