ରାଉରକେଲା ୧୨/୧୧,(ଉତ୍କଳ ସମାଚାର) ଓଡିଶା ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ବିନୟତୋଷ ମିଶ୍ର ମଙ୍ଗଳବାର ଦିନ ଏକ ଦିନିକିଆ ସରକାରୀ ଗସ୍ତରେ ଆସି ରାଉରକେଲାରେ ପହଞ୍ଚି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ (ଡିଆଇଜି)ଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ପଶ୍ଚିମାଞ୍ଚଳ ରେଞ୍ଜ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟଙ୍କ ସମେତ ରାଉରକେଲା ଆରକ୍ଷୀ ଅଧିକ୍ଷକ (ଏସପି) ନିତେଶ ୱାଧୱାନୀ, ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ କୌର ଏବଂ କେଉଁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁସାଲକର ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ରାଉରକେଲା, ସୁନ୍ଦରଗଡ ଏବଂ କେଉଁଝର ପୋଲିସ ଜିଲ୍ଲାରେ ଅପରାଧ ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ସାମଗ୍ରିକ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଭିତ୍ତିଭୂମିର ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ତିନୋଟି ଜିଲ୍ଲାର ପ୍ରଚଳିତ ସୁରକ୍ଷା ପରିସ୍ଥିତି ଏବଂ ପୋଲିସ ପ୍ରଶାସନର କାର୍ଯ୍ୟକାରିତା ମୂଲ୍ୟାଙ୍କନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍) ଦିନାଃ ଦସ୍ତଗିରଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ନପଶ୍ଚିମାଞ୍ଚଳ ରେଞ୍ଜ ଆରକ୍ଷୀ ଉପ-ମହାନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ତିନୋଟି ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ଏବଂ ଭିତ୍ତିଭୂମି ର ବିକାଶକୁ ନେଇ ଆଲୋଚନା କରାଯାଇଛି। ରାଉରକେଲାରେ ଆଇନଶୃଙ୍ଖଳା ଭଲ ଅଛି, ଯେଉଁ ପେଟ୍ରୋଲିଂ ବ୍ଯବସ୍ଥା କରାଯାଇଛି, ତାକୁ ଆଉଟିକିଏ ଉନ୍ନତ କରାଯିବ। ଭିତ୍ତିଭୂମିର ବିକାଶକୁ ନେଇ ତିନୋଟି ଜିଲ୍ଲାରେ ନୂଆ ବିଲଡିଂର ଆବଶ୍ୟକତା ରହିଛି। ରାଉରକେଲାର ବିଭିନ୍ନ ଥାନାରେ ପୋଲିସ ଷ୍ଟାଫଙ୍କ ସଂଖ୍ୟା ବୃଦ୍ଧି ସହିତ ନୂଆ ବିଲଡିଂର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ସମ୍ପ୍ରସାରଣ ଯୋଜନା ଅନୁସାରେ ସେଗୁଡିକର ସମ୍ପ୍ରସାରଣ କରାଯିବ। ପୋଲିସ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ମହାନିର୍ଦ୍ଦେଶକ କହିଥିଲେ ଯେ ଓଡିଶାରେ ୭,୨୦୦ ପୋଲିସ୍ କର୍ମଚାରୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ସେହି ପୋଲିସ୍ କର୍ମଚାରୀଙ୍କ ନିଯୁକ୍ତି ହୋଇଗଲେ କିଛିଟା ସମାଧାନ ହୋଇପାରିବ ବୋଲି ଓଡିଶା ପୋଲିସ୍ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଆଶାବ୍ୟକ୍ତ କରିଥିଲେ। ଏଥିସହିତ ସବ୍ଇନିସପେକ୍ଟର ନିଯୁକ୍ତି ପରୀକ୍ଷା ବାତିଲ ହୋଇଥିଲା, ବର୍ତ୍ତମାନ ସବ୍ଇନିସପେକ୍ଟର ପରୀକ୍ଷା ଆଉଥରେ ହେବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହିସବୁ ନିଯୁକ୍ତି ହୋଇଗଲେ ପୋଲିସ୍ ଷ୍ଟାଫଙ୍କ ସଂଖ୍ୟା ୮ ହଜାରେ ପହଞ୍ଚିବ ବୋଲି ପୋଲିସ୍ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ। ସଂଗଠିତ ଅପରାଧ କୁ ନେଇ ପ୍ରତି ଜିଲ୍ଲାରେ ଏସ୍.ପି.ଙ୍କ ଅଧ୍ୟକ୍ଷତାରେ ଗୋଟିଏ ଗୋଟିଏ ଟିମ୍ ରହିଛି, ସେମାନେ ଏଠାରେ ଅପରାଧୀ ଅପରାଧ କରି ଅନ୍ୟ ପ୍ରଦେଶକୁ ଚାଲିଯାଉଥିଲେ ମଧ୍ଯ, ପୋଲିସ୍ ପକ୍ଷରୁ ସେମାନଙ୍କୁ ସେଠାରୁ ଧରି ଅଣାଯାଉଛି। ସାଇବର କ୍ରାଇମକୁ ନେଇ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଥିଲେ ଯେ, ସାଇବର କ୍ରାଇମର ସଂଖ୍ୟା କମ୍ କରିବା ପାଇଁ ପୋଲିସ ପକ୍ଷରୁ ଡାଟାବେସ୍ ଅନୁସାରେ ଅପରାଧୀଙ୍କ ପ୍ରାୟ ୧୦ ହଜାର ସିମ୍ କାର୍ଡ ସହ ଆଇଏମ୍ଇଆଇ ନମ୍ବର ଅକାମୀ କରାଯାଇଛି। ଏଥିସହିତ ଆଗକୁ ସାଇବର କ୍ରାଇମକୁ ନେଇ ଆହୁରି ତିନି ହଜାର ସିମ୍ କାର୍ଡ ଓ ପାଞ୍ଚ ହଜାର ଆଇଏମ୍ଇଆଇ ନମ୍ବର ମଧ୍ୟ ଅକାମୀ କରାଯିବାର ଯୋଜନା ରହିଛି ବୋଲି ଓଡିଶା ପୋଲିସ୍ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ସୂଚନା ଦେଇଥିଲେ।

