ରାଉରକେଲା:14//11,(ଉତ୍କଳ ସମାଚାର) ଆଜି ଶିଶୁ ଦିବସ। ସବୁଠି ଶିଶୁଙ୍କ ହସ, ଖୁସି ଓ ଉତ୍ସବର ମାହୋଲ। ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ନାନା କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ସମାଜର ଅନ୍ୟ ଏକ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି। ରେଳ ଷ୍ଟେସନ ଓ ରାସ୍ତାକଡ଼ରେ ଅନେକ ଅସହାୟ, ଅନାଥ ଓ ଅବହେଳିତ ଶିଶୁଙ୍କ ଜୀବନ ଆଜି ମଧ୍ୟ ଅନ୍ଧକାର ମଧ୍ୟରେ ରହିଛି।କେତେକ ଶିଶୁ ଷ୍ଟେସନ ପରିସରରେ ଦିନ କାଟୁଥିବା ବେଳେ ଆଉ କେତେକ ଖାଦ୍ୟ ଓ ଆଶ୍ରୟ ପାଇଁ ଏଣେତେଣେ ବୁଲୁଛନ୍ତି। କିଛି ଶିଶୁ ନିଶାଦ୍ରବ୍ୟର କୁପ୍ରଭାବରେ ପଡ଼ି ନିଜର ଶୈଶବ ହରାଉଥିବା ଚିନ୍ତାଜନକ ବିଷୟ। ଯେଉଁ ବୟସରେ ସେମାନଙ୍କ ହାତରେ ବହି ଓ ଖେଳନା ରହିବା କଥା, ସେହି ବୟସରେ ସେମାନେ ଜୀବନର ସଂଘର୍ଷ ସହ ଲଢ଼ୁଛନ୍ତି।ଶିଶୁ ଦିବସ କେବଳ ଉତ୍ସବ ପାଳନରେ ସୀମିତ ନ ରହି ଏହି ଅବହେଳିତ ଶିଶୁଙ୍କ ଜୀବନରେ ମଧ୍ୟ ଆଲୋକ ଆଣିବାର ସଂକଳ୍ପ ହେବା ଆବଶ୍ୟକ। ପ୍ରଶାସନ, ଶିଶୁ ସୁରକ୍ଷା ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜର ସଚେତନ ନାଗରିକମାନେ ଏକାଠି ହୋଇ ଏଭଳି ଶିଶୁଙ୍କୁ ଉଦ୍ଧାର, ଶିକ୍ଷା, ଚିକିତ୍ସା ଓ ନିରାପଦ ଆଶ୍ରୟ ଯୋଗାଇବା ଦିଗରେ ଆଗେଇ ଆସିବା ଜରୁରୀ।

