ସମ୍ବଲପୁର,୧୬/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ପବିତ୍ର ଶିଶୁ ଦିବସ ଅବସରରେ ସମ୍ବଲପୁରର ଗୋପାଳମାଲସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନନ୍ଦ ଓ ଉତ୍ସାହର ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ରୋଟାରୀ କ୍ଲବ ଅଫ୍ ସମ୍ବଲପୁର ଗ୍ରେଟର ପକ୍ଷରୁ ବିଦ୍ୟାଳୟ ପରିସରରେ ପ୍ରାୟ ୩ ହଜାର ପୁସ୍ତକ ସମ୍ବଳିତ ଏକ ପାଠାଗାର ଉଦ୍ଘାଟନ କରାଯାଇଥିଲା।ନୂତନ ପାଠାଗାରରେ ବିଭିନ୍ନ ବିଷୟର ପ୍ରାୟ ୩ ହଜାର ପୁସ୍ତକ ସହ ମାସିକ ପତ୍ରିକା ଓ ଦୈନିକ ଖବରକାଗଜ ପଢ଼ିବାର ସୁବିଧା ରହିଛି। ଏହାଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସାଧାରଣ ପାଠକମାନେ ମଧ୍ୟ ଉପକୃତ ହୋଇପାରିବେ। ଏଥିସହ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀଗୃହ ପାଇଁ କ୍ଲବ ପକ୍ଷରୁ କାନ୍ଥଘଣ୍ଟା ଯୋଗାଇ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ସମ୍ବଲପୁର ଗ୍ରେଟରର ସଭାପତି ରୋଟାରିଆନ୍ ଜିଜି ଜୋସେଫ, ପ୍ରକଳ୍ପ ଅଧ୍ୟକ୍ଷା ରୋଟାରିଆନ୍ ସଫିନା ନାଜ, ପୂର୍ବତନ ସଭାପତି ରୋଟାରିଆନ୍ ବିଲାଲ ମଲ୍ଲିକ ଓ ରାଜୀବ ଜୈନ, ରୋଟାରିଆନ୍ ଉର୍ମିଳା ବେହେରା, ସୁମିତ ନାୟକ, ଇଶା ପାଢ଼ୀ, ପ୍ରତିଭା ବାରିକ, ଗୀତମ ସିଂହ, ଅଞ୍ଜୁ ଶର୍ମା, ସମୀର ପଣ୍ଡା ଏବଂ ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ଡାକ୍ତର ଅଶୋକ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ପଟେଲଙ୍କ ସମେତ ଶିକ୍ଷୟିତ୍ରୀ ସୀମା ବଢ଼େଇ, ମଞ୍ଜୁକ୍ତା ନାୟକ, ଗାୟତ୍ରୀ ବିଶ୍ୱାଳ, ଉର୍ମିଳା ବେହେରା, ରଞ୍ଜିତା ଦାଶ ଓ ରସେଶ୍ୱରୀ ବଗର୍ତ୍ତି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।ଶିଶୁ ଦିବସ ଅବସରରେ ଏଭଳି ପାଠାଗାର ପ୍ରତିଷ୍ଠା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଠନ ଅଭ୍ୟାସ ବିକାଶ, ଜ୍ଞାନ ଆହରଣ ଏବଂ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସମାଜରେ ପୁସ୍ତକ ପଠନ ସଂସ୍କୃତିକୁ ପ୍ରୋତ୍ସାହିତ କରିବ ବୋଲି ଆଶା ପ୍ରକାଶ ପାଇଛି।

