ରାଉରକେଲା:16//11,(ଉତ୍କଳ ସମାଚାର) ସାମାଜିକ ଅନୁଷ୍ଠାନ ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ କାର୍ତ୍ତିକ ମାହାତ୍ମ୍ୟ ଉପରେ ଏକ ଆଧ୍ୟାତ୍ମିକ କଥାମୃତ କାର୍ଯ୍ୟକ୍ରମ କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କଥାମୃତ କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରବଚକ ଡା ଆଶୁତୋଷ ପ୍ରସାଦ ମିଶ୍ର ତଥା ଶ୍ରୀମନ୍ଦିର ଚୁନୁରା ସେବାୟତ ଡ ଶରତ ମହାନ୍ତି ଯୋଗଦେଇ ଥିଲେ। ମୁଖ୍ୟ ପ୍ରବକ୍ତା ଡା ମିଶ୍ର କାର୍ତ୍ତିକ ମାହାତ୍ମ୍ୟ ଉପରେ ଆଲୋଚନା କରି କହିଲେ ଯେ ମଠର ସମ୍ପତ୍ତି ହେଲା ଅ ଓ ଆ। ଅ ରୁ ଅଶ୍ରୁ ଓ ଆ ରୁ ଆଶ୍ରୟ। ଏହା ହିଁ ଭକ୍ତଙ୍କ ସମ୍ପତ୍ତି। ଯିଏ ଆମ ହାତ ଛାଡନ୍ତି ନାହିଁ ସିଏ ହେଲେ ମହାପ୍ରଭୂ । ସେହିପରି ମାସ ମଧ୍ୟରେ ପ୍ରଥମ ମାସ ମାର୍ଗଶୀର ଓ ଶେଷ ମାସ ହେଲା କାର୍ତ୍ତିକ। ମଣିଷ ଜୀବନର ଅନ୍ତିମ ଲକ୍ଷ୍ୟ ହେଲା ଜଗନ୍ନାଥ ଙ୍କ ସହ ମିଳନ। ବର୍ଷରେ ପ୍ରଭୁଙ୍କର ୬ ଥର ପହଣ୍ଡି କରାଯାଏ। ସେ ଖାଲି ନାମରେ ଜଗନ୍ନାଥ ନୁହଁନ୍ତି କାମରେ ମଧ୍ୟ ଜଗନ୍ନାଥ। ସେ କାହିଁକି ଜଗତର ନାଥ ତାହାର ବିଭିନ୍ନ ଉଦାହରଣ ଦେଇଥିଲେ। ସେହିପରି ଚୁନୁରି ସେବାୟତ ଡ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ ମହାପ୍ରଭୂ ସେବକଙ୍କୁ କେବେ ନିରାଶ କରନ୍ତି ନାହିଁ। ଏହାସହ ସେ ଜଗନ୍ନାଥଙ୍କ ମାହାତ୍ମ୍ୟ ଉପରେ ଆଲୋଚନା କରିଥିଲେ। କଥାମୃତ ସମାପନ ପରେ ସମସ୍ତ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଂଜନ ମଲ୍ଲିକ, ବ୍ରଜେନ୍ଦ୍ର ଦାଶ, ମନୋଜ ପଣ୍ଡା, ପ୍ରଦୀପ ପଣ୍ଡା, ଅମୂଲ୍ୟ ମିଶ୍ର, ସୁଶିଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ।

