ସମ୍ବଲପୁର,୨୦/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଜାତୀୟ ରାଜପଥ-୫୩ର ବାବୁବନ୍ଧ ଛକ ନିକଟରେ ଶୁକ୍ରବାର ସକାଳେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଜା ଓ ନାତିଙ୍କ ଅକାଳ ମୃତ୍ୟୁ ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଧକ୍କାରେ ଉଭୟଙ୍କ ଜୀବନ ଚାଲିଯାଇଥିବା ବେଳେ ଏହି ହୃଦୟବିଦାରକ ଘଟଣା ଚିଚିଣ୍ଡା ଓ ଗୋଶାଳା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।ମୃତକ ହେଲେ ଗୋଶାଳା ହାଇସ୍କୁଲର ପୂର୍ବତନ ଶିକ୍ଷକ ତଥା ବିଶିଷ୍ଟ କର୍ମକାଣ୍ଡ ପଣ୍ଡିତ, ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ନିରଞ୍ଜନ ଷଡ଼ଙ୍ଗୀ ଏବଂ ତାଙ୍କ ୧୦ ବର୍ଷୀୟ ନାତି ଚୁମନ୍। ଚୁମନ୍ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ। ସୂଚନା ଅନୁଯାୟୀ, ନିରଞ୍ଜନ ଷଡ଼ଙ୍ଗୀ ଗୋଶାଳା ନିକଟସ୍ଥ ସାନଟିକ୍ରା ଅଞ୍ଚଳରେ ରହୁଥିଲେ। ଶୁକ୍ରବାର ସକାଳେ ନିଜ ନାତିଙ୍କୁ ସ୍କୁଲ ପଠାଇବା ପାଇଁ ବାବୁବନ୍ଧ ଛକ ନିକଟରେ ରାସ୍ତାକଡ଼ରେ ଠିଆ ହୋଇ ସ୍କୁଲ ବସ୍କୁ ଅପେକ୍ଷା କରୁଥିଲେ। ଏହି ସମୟରେ ବରଗଡ଼ ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ, ଅଜା ଓ ନାତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ସମେତ ବିଭିନ୍ନ ଦାବି ନେଇ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ବୁଝାଶୁଝା କରିଥିଲା। ପୋଲିସର ହସ୍ତକ୍ଷେପ ପରେ ରାଜପଥ ଅବରୋଧ ହଟିଥିବା ଏବଂ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି। ଜଣେ ଶିକ୍ଷକ ଓ ବିଶିଷ୍ଟ କର୍ମକାଣ୍ଡ ପଣ୍ଡିତ ଭାବେ ପରିଚିତ ନିରଞ୍ଜନ ଷଡ଼ଙ୍ଗୀଙ୍କ ଅକାଳ ବିୟୋଗ ସହ ତାଙ୍କ ୧୦ ବର୍ଷୀୟ ନାତିଙ୍କ ମୃତ୍ୟୁ ଅଞ୍ଚଳବାସୀଙ୍କୁ ଗଭୀର ମର୍ମାହତ କରିଛି। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ସଡ଼କ ସୁରକ୍ଷା ଓ ରାଜପଥରେ ଯାତାୟାତ ନିୟନ୍ତ୍ରଣ ନେଇ ପୁଣି ଚିନ୍ତା ସୃଷ୍ଟି କରିଛି।

