ରାଉରକେଲା ୨୩/୧୧,(ଉତ୍କଳ ସମାଚାର)ଦେବଗାଁର ତରକେରା ସ୍ଥିତ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ଅଧିବାସ ଏବଂ ସୋମବାର ଦିନ ସକାଳେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଓ ବିଳମ୍ବିତ ରାତିରୁ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଷ୍ଟପ୍ରହରୀ ପାଇଁ ଦେବଗଡ଼, ସମ୍ବଲପୁର ଓ ବାମଣ୍ଡାରୁ କୀର୍ତ୍ତନ ପାର୍ଟିକୁ ଡକାଯାଇଥିଲା, ଯାହାକୁ ନେଇ ଆଜି ମନ୍ଦିର ପରିସରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଅବସରରେ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟର ପ୍ରତିଷ୍ଠାତା ରବି ଦେହୁରୀ, ସଦସ୍ୟ ଅନିରୁଦ୍ଧ ସ୍ୱାଇଁଙ୍କ ସମେତ ମୁଖ୍ୟ ପୂଜକ ବିରଞ୍ଚି ଦେହୁରୀ, ଜଗନ୍ନାଥ ଦେହୁରୀ, ଅରୁଣ ତ୍ରିପାଠୀ ଓ ସଂକର୍ଷଣ ନାୟକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ସମଗ୍ର ମନ୍ଦିର ପରିସରକୁ ରଙ୍ଗୀନ ଆଲୋକ ଏବଂ ଫୁଲରେ ସଜାଯାଇଛି ।

