ବିଶ୍ୱକର୍ମା ପୂଜା ପାଇଁ ପୂଜା ସାମଗ୍ରୀ ଦୋକାନରେ ଭିଡ଼
ରାଉରକେଲା ୧୫/୯,(ଉତ୍କଳ ସମାଚାର): ବିଶ୍ବକର୍ମା ପୂଜା ଆଉମାତ୍ର ଗୋଟିଏ ଦିନ ଥିବାବେଳେ, ଇସ୍ପାତ ସହର ରାଉରକେଲାରେ ବିଶ୍ୱକର୍ମା ପୂଜା ପାଇଁ ପୂଜା ସାମଗ୍ରୀ ଦୋକାନ, ମିଠା ଦୋକାନ, ପୋଷାକ ଦୋକାନ, ସାଜସଜ୍ଜା ସାମଗ୍ରୀ ଦୋକାନ ସହିତ ମୂର୍ତ୍ତି ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ମାଟିର ମୂର୍ତ୍ତି ଦୋକାନରେ। ଚଳିତ ବର୍ଷ ପଶ୍ଚିମବଙ୍ଗର କୋଲକାତାରୁ କାରିଗରଙ୍କୁ ଡକାଯାଇଛି ଏବଂ ମୂର୍ତ୍ତିକାରମାନେ ଛୋଟ ବଡ଼ ଆକାରର ଭଗବାନ ବିଶ୍ୱକର୍ମାଙ୍କ ମୂର୍ତ୍ତି ତିଆରି କରୁଛନ୍ତି। ସେହିପରି ରାଉରକେଲାର ଡେଲି ମାର୍କେଟ, ଟ୍ରାଫିକ୍ ମାର୍କେଟ, ବିସ୍ରା ଛକ, ବାସନ୍ତୀ କଲୋନି ମାର୍କେଟ, ଏସଟିଆଇ ମାର୍କେଟ, ପାନପୋଷ ମାର୍କେଟ, ତରକେରା ଦେବଗାଁ ମାର୍କେଟ, ଇସ୍ପାତ ମାର୍କେଟ, ଗଜପତି ମାର୍କେଟ, ଛେଣ୍ଡ ମାର୍କେଟରେ ପୂଜା ପାଇଁ କିଣାକଟା ଚାଲିଛି। ମିଠା ଦୋକାନ ଏବଂ ସାଜସଜ୍ଜା ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏଥର ବଜାରରେ ୨୦୦ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମୂର୍ତ୍ତି ବିକ୍ରି ହେଉଛି। ଆଜି ସହରର ମୁଖ୍ୟ ରାସ୍ତା ସମେତ ଡେଲି ମାର୍କେଟରେ ବିଶ୍ୱକର୍ମା ପୂଜା ପାଇଁ ଲୋକମାନେ ବହୁ ସଂଖ୍ୟାରେ କିଣାକାଟା କରୁଛନ୍ତି। ରାଉରକେଲାର ଷ୍ଟିଲ୍ ପ୍ଲାଣ୍ଟରେ ବିଶ୍ୱକର୍ମା ପୂଜା କରାଯିବା ସହିତ ଶିଳ୍ପାଞ୍ଚଳ, ଆଇଡିସି ଶିଳ୍ପାଞ୍ଚଳ, ଜେଲ୍ ରୋଡ୍ ଶିଳ୍ପାଞ୍ଚଳରେ ଥିବା କାରଖାନାଗୁଡ଼ିକରେ ବିଶ୍ୱକର୍ମା ପୂଜା ପାଇଁ ମଣ୍ଡପଗୁଡ଼ିକ ତିଆରି କରାଯାଇଛି। ରଙ୍ଗୀନ ଆଲୋକରେ ମଣ୍ଡପଗୁଡ଼ିକୁ ସଜାଯାଉଛି। ରାଉରକେଲା ସହରରେ ବିଶ୍ୱକର୍ମା ପୂଜା ପାଇଁ ମୁଖ୍ୟ ରାସ୍ତା ଏବଂ ଅନ୍ୟାନ୍ୟ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସମଗ୍ର ଜିଲ୍ଲାରେ, ବିଶ୍ୱକର୍ମା ପୂଜା ପାଇଁ ସୁନ୍ଦରଗଡ଼ ଜିଲ୍ଲା ସମେତ ଶିଳ୍ପାଞ୍ଚଳରେ ତୋରଣ ଫାଟକ ସହିତ ବଡ଼ ବଡ଼ ମଣ୍ଡପଗୁଡ଼ିକ ନିର୍ମାଣ କରାଯାଇଛି।

