ଲାଞ୍ଚ ନେଉଥିବା ସମୟରେ ବନ୍ଧମୁଣ୍ଡାର ଆରପିଏଫ ଯବାନ୍ ସିବିଆଇ ଦ୍ଵାରା ଗିରଫ୍
ରାଉରକେଲା ୧୦/୧୦,(ଉତ୍କଳ ସମାଚାର):ଦକ୍ଷିଣ-ପୂର୍ବ ରେଳ ଡିଭିଜନର ଚକ୍ରଧରପୁର ଅନ୍ତର୍ଗତ ବନ୍ଧମୁଣ୍ଡାରେ ସିବିଆଇ ଏକ ଅତର୍କିତ ଚଢାଉ କରି ଲାଞ୍ଚ ନେଉଥିବା ସମୟରେ ଜଣେ ଆରପିଏଫ ଯବାନଙ୍କୁ ଗିରଫ କରିଛି। ଗତ କିଛି ମାସ ମଧ୍ୟରେ ବନ୍ଧମୁଣ୍ଡା-ରାଉରକେଲା ସେକ୍ସନରେ ଏହା ତୃତୀୟ ଚଢାଉ, ଯେଉଁଠାରେ ରେଳ କର୍ମଚାରୀ ଏବଂ ଆରପିଏଫ କର୍ମଚାରୀ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି।ସୂଚନା ଅନୁଯାୟୀ, ଗିରଫ୍ ହୋଇଥିବା ଆରପିଏଫ ଯବାନ ହେଲେ ବନ୍ଧମୁଣ୍ଡା ଆରପିଏଫ୍ ପୋଷ୍ଟରେ ନିଯୁକ୍ତ ମହମ୍ମଦ ଅସରାର। ସେ ବନ୍ଧମୁଣ୍ଡା ରେଳବାଇ କଲୋନୀରେ ପ୍ଲାଷ୍ଟିକ୍ ବୋତଲ ଏବଂ ସ୍କ୍ରାପ୍ ଅଳିଆ ସଂଗ୍ରହ କରିବାରେ ନିୟୋଜିତ ଜଣେ ମହିଳାଙ୍କଠାରୁ ପ୍ରତି ମାସରେ ୧୫ହଜାର ଟଙ୍କା ଦାବି କରୁଥିଲେ ବୋଲି ଅଭିଯୋଗ ଇଥିଲା। ଶୁକ୍ରବାର ସକାଳ ପ୍ରାୟ ୯ଟା ୩୦ ସମୟରେ, ମହିଳା ଜଣକ ବିର୍ସା ଛକରେ ଅଭିଯୁକ୍ତ ଅସରାରଙ୍କୁ ଲାଞ୍ଚ ଟଙ୍କା ଦେଉଥିଲା ସମୟରେ ପୂର୍ବରୁ ଜାଲ ବିଛାଇଥିବା ସିବିଆଇ ଦଳ ତାଙ୍କୁ ରାସାୟନିକ ଯୁକ୍ତ ଟଙ୍କା ସହିତ ଗିରଫ କରିଥିଲା। ଗିରଫ ପରେ, ସିବିଆଇ ଟିମ୍ ଅସରାରଙ୍କୁ ଅଧିକ ପଚରାଉଚରା ପାଇଁ ରାଉରକେଲା କାର୍ଯ୍ୟାଳୟକୁ ନେଇଯାଇଥିଲେ। ସେଠାରେ ଆରପିଏଫ ଯବାନ ଅସରାରଙ୍କୁ ପଚରାଉଚରା କରାଯାଉଛି । ତଦନ୍ତ ପରେ ସମସ୍ତ ତଥ୍ୟ ପଦାକୁ ଆସିବ।

