ରାଉରକେଲା :8//1,(ଉତ୍କଳ ସମାଚାର) ଭେନେଜୁଏଲା ବିରୋଦ୍ଧରେ ଆମେରିକାର ବର୍ବରଚିତ୍ତ ଆକ୍ରମଣ ଏବଂ ସେ ରାଷ୍ଟ୍ରର ରାଷ୍ଟ୍ରପତି ନିକୋଲାଶ ମାଦୁରୋ ଓ ତାଙ୍କର ସହଧର୍ମିଣୀଙ୍କୁ ଅପହରଣ କରାଯାଇଥିବା ଘଟଣାକୁ ନିନ୍ଦା କରାଯାଇ ଆଜି ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି ପକ୍ଷରୁ ଉଦିତନଗର ସ୍ଥିତ ଆମ୍ବେଦକର ପ୍ରତିମୃର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରାଯାଇଥିଲା। ଆମେରିକାର ଅନୁପ୍ରବେଶ ଏକ ସ୍ବାଧିନ ଓ ସର୍ବଭୈାମ ରାଷ୍ଟ୍ର ବିରୋଦ୍ଧରେ ହୋଇଥିବା ଆକ୍ରମଣ ଯାହା ଜାତିସଂଘ ସନନ୍ଦର ଖୋଲାଖୋଲି ଉଲ୍ଲଘଂନ ବୋଲି ବକ୍ତାମାନେ କହିଛନ୍ତି। ଆମେରିକାର ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପଂ ତାଙ୍କ ଭାଷଣରେ ଭେନେଜୁଏଲାର ତୈଳ ସମ୍ପଦକୁ ଦଖଲ କରିବାକଥା କହି ଏହି ଅକ୍ରମଣ ପଛରେ ଥିବା ଅସଲ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଦେଇଛନ୍ତି। ଆମେରିକାର ବିଦେଶ ସଚିବ ଆଉ ଏକପାଦ ଆଗକୁଯାଇ ଅନ୍ୟ ରାଷ୍ଟ୍ରମାନେ ପରବର୍ତ୍ତି ଲକ୍ଷ୍ୟ ବୋଲି ସତର୍କ କରିଛନ୍ତି। ଆମେରିକୀୟ ସାମ୍ରାଜ୍ୟବାଦ ସାରା ପୃଥିବୀ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଚି। ସାରା ବିଶ୍ବରେ ଏହି ଶାନ୍ତିକାମି ମଣିଷ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ବୋଲି ଆୱାଜ ଦେଉଥିବା ବେଳେ ଯୁଦ୍ଧଖୋର ଆମେରିକା ନିଜର ସ୍ବାର୍ଥକୁ ଚରିତାର୍ଥ କରିବା ଓ ଅନ୍ୟ ରାଷ୍ଟ୍ର ତୈଳ ସମ୍ପଦକୁ ଲୁଟ୍ କରିବାପାଇଁ ଏଭଲି ଯୁଦ୍ଧକୁ ପ୍ରୋତ୍ସାହିତ କରୁଛି ବୋଲି ଇସ୍କଫ୍ ପକ୍ଷରୁ କୁହାଯାଇଛି। ଭାରତ ସରକାର ବିଶ୍ବର ବିଭିନ୍ନ ଦେଶ ସହ ଐକ୍ୟବଦ୍ଧତା ହୋଇ ଆମେରିକାର ଆକ୍ରମଣକୁ ନିନ୍ଦା କରିବା ସହିତ ଭେନେଜୁଏଲାର ସପକ୍ଷରେ ଦୃଢ଼ ଭାବେ ଛିଡ଼ା ହେବାପାଇଁ ଇସ୍କଫ୍ର ରାଜ୍ୟ ସାଧାରଣ ସମ୍ପାଦକ ସଦାନନ୍ଦ ସାହୁ ଆହ୍ବାନ ଦେଇଛନ୍ତି। ଏହି ବିକ୍ଷୋଭରେ ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ପ୍ରଦୋଷ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡ. କିଶୋରୀ ଦାସ, ଜିଲ୍ଲା ସମ୍ପାଦକ ଖଦାଳ ସେଠୀ ପ୍ରମୁଖ ବକ୍ତବ୍ୟ ଦେଇ ଆମେରିକାର ଆକ୍ରମଣକୁ ନିନ୍ଦା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଭାଗବତ ପ୍ରସାଦ ସାହୁ, ବିଦ୍ୟାନନ୍ଦ ପ୍ରଧାନ, ରାଜା ମୁନ୍ନା, ରବି ନାରାୟଣ ସି, ଜ୍ଞାନରଞ୍ଜନ ସାହୁ, ଅପର୍ଣ୍ଣା ରାଉତରାୟ, ଦିନୋଦ ରାଉତ, ମୁକ୍ତିକାନ୍ତ ବିଶ୍ବାଳ, ଅଜୟ ବାରା ପ୍ରମୁଖ ଉପସ୍ଥିତ ଥିଲେ।

