ରାଉରକେଲା ୧/୨,(ଉତ୍କଳ ସମାଚାର) କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପକ୍ଷରୁ ଲେବଲ କ୍ରସିଂ ବଦଳରେ ରେଳ ଓଭରବ୍ରିଜ ହେବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହାର ବିଡମ୍ବନା ଦେଖାଦେଇଛି। ଦକ୍ଷିଣ-ପୂର୍ବ ରେଳପଥର ରାଉରକେଲା ଜଙ୍କସନ ଏକ ପ୍ରମୁଖ ବଡ ରେଳ ଷ୍ଟେସନ ହୋଇଥିବା ବେଳେ ବର୍ତ୍ତମାନ ରାଉରକେଲା ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଚାଲୁରହିଛି। ଏଥିସହିତ ରାଉରକେଲା ରେଳଷ୍ଟେସନ୍ ଦେଇ ଝାରସୁଗୁଡ଼ା ପର୍ଯ୍ୟନ୍ତ ତୃତୀୟ ରେଳ ଲାଇନ କାର୍ଯ୍ଯ ଚାଲୁରହିଛି। ଏହି ଉନ୍ନତିକରଣ କାର୍ଯ୍ୟ ଚାଲୁରହିଥିବା ବେଳେ କେତେକ କ୍ଷେତ୍ରରେ ସାଧାରଣ ଲୋକଙ୍କ ସମେତ ଭବିଷ୍ୟତର ସୁନାଗରିକ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜିରେ ଲଗାଯାଇଛି। ଦକ୍ଷିଣ-ପୂର୍ବ ରେଳପଥ ରାଉରକେଲା ସହରର ମଧ୍ୟଭାଗ ଦେଇ ଯାଇଥିବାବେଳେ କେତେକ ସ୍ଥାନରେ ସ୍ଥାନୀୟ ଲୋକେ ରେଳ ଲାଇନ ପାର୍ ହୋଇ ଯିବା ଆସିବା କରୁଛନ୍ତି। ସେଥିମଧ୍ୟରୁ ଡେଲି ମାର୍କେଟ ମଧ୍ୟ ଦେଇ ରେଲୱେ କଲୋନୀ ମଧ୍ଯକୁ ଯାଇଥିବା ଏକ ବୃହତ୍ ଖୋଲା ସ୍ଥାନ, ଯେଉଁଥିରେ ଡେଲି ମାର୍କେଟ ଅଞ୍ଚଳରେ ଥିବା ଟାଉନ୍ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ରେଲୱେ କଲୋନୀର ରେଳ କର୍ମଚାରୀ ଓ ସାଧାରଣ ଲୋକେ ଜଙ୍କସନକୁ ଅତିକ୍ରମ କରି ଯିବାକୁ ପଡୁଛି। ଏହି ସ୍ଥାନରେ ପ୍ରାୟ ୨୦ଟି ରେଳ ଲାଇନକୁ ଅତିକ୍ରମ କରି ଯିବାକୁ ପଡୁଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକଙ୍କୁ। ବିପଦସଙ୍କୁଳ ଅବସ୍ଥାରେ ଏମାନେ ରେଳଲାଇନ ପାର ହେଉଥିଲେ ମଧ୍ୟ, ରାଉରକେଲା ପ୍ରଶାସନ ଓ ରେଳ ବିଭାଗର ଏଥିପ୍ରତି କୌଣସି ଦୃଷ୍ଟି ପଡୁନଥିବା ଜଣାଯାଏ। ଏଠାରେ ଏକ ଫୁଟ୍ ଓଭରବ୍ରିଜ ନିର୍ମାଣ କରାଯିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ, ରେଳ ବିଭାଗ କିମ୍ବା ରାଉରକେଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

