ରାଉରକେଲା ୧୧/୨,(ଉତ୍କଳ ସମାଚାର)ଗତ ସୋମବାର ଦିନ ରାଉରକେଲା ପ୍ରଶାସନ ପକ୍ଷରୁ ସରକାରୀ ଜାଗାରେ ବେଆଇନ ନିର୍ମାଣକୁ ନେଇ ହୋଇଥିବା ଉଚ୍ଛେଦ ପ୍ରକ୍ରିୟାକୁ କ୍ଷତିଗ୍ରସ୍ତ ଗୃହ ମାଲିକ ତଥା ବ୍ଯବସାୟୀ ଏବଂ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ବିରୋଧ କରିବା ପରେ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା। ରାଉରକେଲା ପ୍ରଶାସନର ଦୋମୁହାଁ ନିତି ତଥା ଉକ୍ତ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଆଜି ବିଜେଡି ପକ୍ଷରୁ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଟେଲ ତ୍ରୀଦେବ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ନାୟକଙ୍କ ସମେତ ପ୍ରଦ୍ଯୁମ୍ନ ତ୍ରିପାଠୀ, ବିରେନ ସେନାପତି, ରଶ୍ମିବାଳା ମିଶ୍ର, ଜ୍ଯୋସ୍ନା ନାୟକ, ସନ୍ତୋଷ ନାୟକ, ସଞ୍ଜିତ୍ ଛୋଟରାୟ, ପିଙ୍କୁ ଜୈସ୍ବାଲ, ବାବୁ ଖାନ୍, ଜୟଶ୍ରୀ ପାଣିଗ୍ରାହୀ, ଗଗନ ପଣ୍ଡା, ଜୟନ୍ତ କୁମାର ମିଶ୍ର, କମଲ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଉରକେଲାର ଗୋଟିଏ ଅଞ୍ଚଳର ସରକାରୀ ଖାତା ଓ ପ୍ଲଟରେ ବିଭିନ୍ନ ବ୍ଯକ୍ତି ବେଆଇନ୍ ଘର କରି ରହିଥିଲା ବେଳେ, ରାଉରକେଲା ପ୍ରଶାସନ ପକ୍ଷରୁ ମାତ୍ର ୬ ଜଣ ବ୍ଯକ୍ତିଙ୍କୁ ନୋଟିସ କରାଯାଇଛି। ସେଥିମଧ୍ୟରୁ ଜଣେ ଗ୍ଯାରେଜବାଲା ଏବଂ ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ପୂର୍ବତନ ସଭାପତି ପ୍ରବୀଣ ଗର୍ଗଙ୍କ ବ୍ଯବସାୟ ପ୍ରତିଷ୍ଠାନକୁ ଆକ୍ରୋଶ ମୂଳକ ଭାବେ ରାଉରକେଲା ପ୍ରଶାସନ ପକ୍ଷରୁ କାହାରି ନିର୍ଦ୍ଦେଶରେ ଖାଲି କରାଯାଉଛି। ଏହା ଅନୁଭବ କରି ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ଚାଲୁଛି। ରାଜସ୍ବ ନିୟମ ଅନୁସାରେ ଗୋଟିଏ ଖାତା ଓ ଗୋଟିଏ ପ୍ଲଟ ଉପରେ ଥିବା ସମସ୍ତ ବ୍ଯକ୍ତିଙ୍କୁ ନୋଟିସ ଦିଆନଯାଇ ମାତ୍ର ବଛାବଛା ୬ ଜଣଙ୍କୁ ନୋଟିସ ଦିଆଯାଇଛି ଏବଂ ଆକ୍ରୋଶ ମୂଳକ ଭାବେ ଦୁଇ ଜଣଙ୍କୁ ନୋଟିସ ଦିଆଯିବା ନାମରେ ଉଛେଦ କରାଯାଉଛି। ତେଣୁ ଏହାକୁ ବିଜେଡି ଦଳ ପକ୍ଷରୁ ବିରୋଧ କରାଯାଇଥିଲା। ଉଚ୍ଛେଦ ପ୍ରକ୍ରିୟାକୁ ଦଳ ପକ୍ଷରୁ କରାଯାଉଛି, କିନ୍ତୁ ଯେଉଁଠାରେ ସରକାରଙ୍କ କୌଣସି ପ୍ରୋଜେକ୍ଟ ନାହିଁ, ସେଠାରେ ଗରୀବ ଲୋକଙ୍କୁ ଥଇଥାନ କରାନଯାଇ ଉଚ୍ଛେଦ କରାଯିବାକୁ ବିଜୁ ଜନତା ଦଳ ବିରୋଧ କରିବ। ଏଥିସହିତ ପୂର୍ବତନ ସରକାରଙ୍କ ସମୟରେ ଜାଗା ମିଶନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପଦକ୍ଷେପ ନିଆଯାଇଥିଲା, ତାହାକୁ ମଧ୍ଯ ପ୍ରଶାସନ କାର୍ଯ୍ଯକାରୀ କରୁନାହିଁ ବୋଲି ବିଧାୟକ ରାଉରକେଲା ପ୍ରଶାସନକୁ ଦୋଷାରୋପ କରିଥିଲେ। ସହରର ବିକାଶ ହେଉ କିନ୍ତୁ ଦୀର୍ଘ ଦିନ ଧରି ଗରୀବ ଖଟିଖିଆ ଲୋକଙ୍କୁ ଥଇଥାନ କରି ବିକାଶ ହେଉ ବୋଲି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

