ରାଉରକେଲା ୧୧/୨,(ଉତ୍କଳ ସମାଚାର) ଆଜି ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୫-୨୬ର ପ୍ରଥମ ମ୍ଯାଚ୍। ଏହି ପ୍ରଥମ ମ୍ଯାଚରେ ବେଲଜିୟମ୍ ବନାମ୍ ଆର୍ଜେଣ୍ଟିନା ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ଆଜିର ଏଫ୍ଆଇଏଚ୍ ପ୍ରୋ ଲିଗର ପ୍ରଥମ ମ୍ଯାଚକୁ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସମ୍ମାନୀୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଏବଂ ହକି ଇଣ୍ଡିଆର ଅନ୍ଯାନ୍ଯ ଅଧିକାରୀ। ପ୍ରଥମ କ୍ବାର୍ଟରରେ ଆର୍ଜେଣ୍ଟିନା ପେନାଲଟି କର୍ଣ୍ଣର ମାଧ୍ୟମରେ ୨ଟି ଗୋଲ୍ ସ୍କୋର୍ କରିଥିଲା ବେଳେ, ବେଲଜିୟମ୍ ୧୪ ମିନିଟ ସମୟରେ ଗୋଟିଏ ଫିଲ୍ଡ ଗୋଲ ସ୍କୋର କରି ୧-୨ ଗୋଲରେ ପଛୁଆ ରହିଥିଲା। ପ୍ରଥମାର୍ଦ୍ଧ ଖେଳ ସୁଦ୍ଧା ଆର୍ଜେଣ୍ଟିନା ପେନାଲଟି କର୍ଣ୍ଣର ମାଧ୍ୟମରେ ତୃତୀୟ ଗୋଲ୍ ସ୍କୋର କରିଥିଲା ବେଳେ, ବେଲଜିୟମ୍ ୩୦ ମିନିଟ୍ ସମୟରେ ପେନାଲଟି କର୍ଣ୍ଣର ମାଧ୍ୟମରେ ଦ୍ବିତୀୟ ଗୋଲ ସ୍କୋର କରି ୨-୩ ଗୋଲରେ ପଛୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ବେଲଜିୟମ୍ ୩୨ ମିନିଟ୍ ସମୟରେ ଆଉ ଗୋଟିଏ ଫିଲ୍ଡ ଗୋଲ ସ୍କୋର କରି ୩-୩ ଗୋଲରେ ମ୍ଯାଚକୁ ବରାବର କରିଥିଲା। ଚତୁର୍ଥ କ୍ବାର୍ଟର ଏବଂ ଖେଳର ଶେଷ ୧୫ ମିନିଟରେ ବେଲଜିୟମ୍ ପ୍ରଭାବ ବିସ୍ତାର କରି ୫୨ ମିନିଟ୍ ସମୟରେ ପେନାଲଟି ଷ୍ଟ୍ରୋକ ମାଧ୍ୟମରେ ଚତୁର୍ଥ ଗୋଲ ସ୍କୋର କରିଥିଲା ବେଳେ ୫୭ ମିନିଟ୍ ସମୟରେ ଆଉ ଏକ ପେନାଲଟି କର୍ଣ୍ଣର ମାଧ୍ୟମରେ ପେନାଲଟି ଷ୍ଟ୍ରୋକ ମାଧ୍ୟମରେ ପଞ୍ଚମ ଗୋଲ ସ୍କୋର କରି ୫-୩ ଗୋଲରେ ବିଜୟଲାଭ କରିଥିଲେ। ଏହି ମ୍ଯାଚରେ ଆର୍ଜେଣ୍ଟିନା ପେନାଲଟି କର୍ଣ୍ଣରର ସୁଯୋଗ ପାଇଥିଲେ ମଧ୍ୟ ସୁଯୋଗର ସଦୁପଯୋଗ କରିପାରିନଥିଲେ।


