ନବରଙ୍ଗପୁର, ନରସିଂବାଘ.9//9,(ଉତ୍କଳ ସମାଚାର)ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ସମାଜସେବୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଡଃ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ପୂର୍ବରୁ ସଦାଶିବ ପାର୍କସ୍ଥିତ ସ୍ୱର୍ଗତ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ଅତିଥି ଓ ଉପସ୍ଥିତ ବ୍ୟକ୍ତିବିଶେଷ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ତାଙ୍କ ଅମର ସ୍ମୃତିଚାରଣ କରାଯିବା ସହ ଦେଶପ୍ରେମ, ତ୍ୟାଗ, ନିଷ୍ଠା ଓ ଜନସେବା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ, ଶିକ୍ଷାବିତ୍ ଶ୍ରୀ ନାରାୟଣ ପଣ୍ଡା, ଶ୍ରୀ ବିଜୟ ଚୌଧୁରୀ, ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର, ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ରୀମତୀ ପ୍ରଭାସିନୀ ମହାନ୍ତି, ଶ୍ରୀମତୀ ସ୍ୱର୍ଣ୍ଣଲତା ପଟ୍ଟନାୟକ, ଶ୍ରୀ ପ୍ରକାଶ ମିଶ୍ର, ସ୍ୱର୍ଗତ ତ୍ରିପାଠୀଙ୍କ ଦାୟାଦ ଶ୍ରୀ କେଦାର ତ୍ରିପାଠୀ, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ, ପୌରପାଳିକା ନିର୍ବାହୀ ଅଧିକାରୀ ଡଃ ଅଶୋକ କୁମାର କର୍ଣ୍ଣ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।ଏହି ଅବସରରେ ବକ୍ତାମାନେ ସ୍ୱର୍ଗତ ତ୍ରିପାଠୀଙ୍କ ଦେଶପ୍ରେମ, ସାଧାରଣ ଲୋକଙ୍କ ପ୍ରତି ତାଙ୍କର ନିଷ୍ଠା ଏବଂ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କର ସରଳ ଜୀବନଯାପନ, ନିଷ୍ଠାପର ରାଜନୈତିକ ଜୀବନ ଓ ଜନସେବାର ଆଦର୍ଶ ଆଜିର ପିଢ଼ି ପାଇଁ ମଧ୍ୟ ଅନୁକରଣୀୟ ଓ ପ୍ରେରଣାଦାୟକ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।ଡଃ ସଦାଶିବ ତ୍ରିପାଠୀ ୨୧ ଏପ୍ରିଲ ୧୯୧୦ରେ ନବରଙ୍ଗପୁରରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିରେ ଅନୁପ୍ରାଣିତ ହୋଇ ସେ ଭାରତୀୟ ଜାତୀୟ କଂଗ୍ରେସ ସହ ଯୋଡ଼ି ହୋଇ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମ ଓ ପରବର୍ତ୍ତୀ ସମୟରେ ସାଧାରଣ ଲୋକଙ୍କ ସେବା ତଥା ଓଡ଼ିଶାର ବିକାଶ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ।ତାଙ୍କର ଆଦର୍ଶ, ମୂଲ୍ୟବୋଧ, ସାଧାରଣ ଜୀବନଶୈଳୀ ଓ ଜନସେବା ପ୍ରତି ଅତୁଟ ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷ ମତପ୍ରକାଶ କରିଥିଲେ।

