ନିମ୍ନମାନର କାମ ନେଇ ଉଠିଲା ପ୍ରଶ୍ନ, ତଦନ୍ତ ଦାବି
ରାଇଘର, ୦୯/୦୯. ନରସିଂବାଘ (ଉତ୍କଳ ସମାଚାର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡେବେଡ଼ା ପଞ୍ଚାୟତ ଅଧୀନସ୍ଥଥିବା ଖୀହିଡିଙ୍ଗିମାଲ ଛକଠାରୁ କୁଡୁମୁଦାରା ହାଜିବା ମରମ ରାସ୍ତାରେ ଚାଲିଥିବା ନିର୍ମାଣ କାମକୁ ନେଇ ଅଭିଯୋଗ ଉଠିଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣରେ ଆବଶ୍ୟକ ମାନଦଣ୍ଡ ପାଳନ କରାଯାଉନଥିବାରୁ କାମର ମାନକୁ ନେଇ ପ୍ରଶ୍ନ ଉଠିଛି। ଏଥିସହିତ ନିର୍ମାଣସ୍ଥଳରେ ସୂଚନା ଫଳକ ଲଗାଯାଇନଥିବା ଅଭିଯୋଗ ମଧ୍ୟ ରହିଛି।ସୂଚନା ଫଳକ ନଥିବାରୁ ରାସ୍ତାଟି କେଉଁ ବିଭାଗ ଦ୍ୱାରା ନିର୍ମାଣ ହେଉଛି, କାମର ଅନୁମୋଦିତ ମୂଲ୍ୟ କେତେ, ରାସ୍ତାର ଲମ୍ବ ଓ ପ୍ରସ୍ଥ କେତେ ଏବଂ କାମ ଶେଷ ହେବାର ସମୟସୀମା କ’ଣ—ସେନେଇ ସାଧାରଣ ଲୋକେ ଜାଣିପାରୁନାହାନ୍ତି।ଏପରି ସ୍ଥିତିରେ ସମ୍ପୃକ୍ତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କାମର ଗୁଣବତ୍ତା ଯାଞ୍ଚ କରିବା ସହ ଆବଶ୍ୟକ ସୂଚନା ଫଳକ ଲଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ କାମରେ ଅନିୟମିତତା ଥିଲେ ତାହାର ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।
