ନବରଙ୍ଗପୁର:9//9,(ଉତ୍କଳ ସମାଚାର): ନରସିଂବାଘ ପୋଲିସ ପ୍ରଶାସନର ଅବହେଳା ଯୋଗୁଁ ଅଞ୍ଚଳରେ ଜୁଆଖେଳ ଓ ବେଆଇନ ମଦ ବେପାର ବୃଦ୍ଧି ପାଉଥିବା ନେଇ ସାରଣରେ ଅଭିଯୋଗ ହେଉଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୋଲିସ ପ୍ରଶାସନ ପ୍ରତି ଅସନ୍ତୋଷ ପ୍ରକାଶ ପାଇଛି।ଏହାର ଏକ ଉଦାହରଣ ଭାବେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବବେଇ ପଞ୍ଚାୟତ ଅଧୀନସ୍ଥ ଆଦିବାସୀ ଦାସପୁର ସାପ୍ତାହିକ ହାଟକୁ ନେଇ ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟ, ପ୍ରତି ସାପ୍ତାହିକ ହାଟ ଦିନ ଧାହଡ଼େ ଆଖପାଖରେ ଖୋଲାଖୋଲି ଭାବେ ଜୁଆଖେଳ ଚାଲିବା ସହ ମଦ ବେପାର ହେଉଥିବା ଅଭିଯୋଗ ରହିଛି।ହାଟକୁ ଦୈନନ୍ଦିନ ସଉଦା କିଣିବା ପାଇଁ ଆସୁଥିବା ଲୋକମାନେ ଏଭଳି ଜୁଆ ଓ ମଦର ପ୍ରଭାବରେ ପଡ଼ୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ଦିନ ଦ୍ୱିପ୍ରହରେ ଏଭଳି କାରବାର ଚାଲିଥିବା ସତ୍ତ୍ୱେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ଯାଞ୍ଚ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନଥିବା ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରି ହାଟ ଅଞ୍ଚଳରେ ନିୟମିତ ପେଟ୍ରୋଲିଂ ବ୍ୟବସ୍ଥା କରିବା ସହ ଜୁଆଖେଳ ଓ ବେଆଇନ ମଦ ବେପାର ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି।

