ରାଉରକେଲା: ୧୧/୨:(ଉତ୍କଳ ସମାଚାର)ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ମଙ୍ଗଳ ଭବନ ନିକଟରେ ବୁଧବାର ଜଣେ ୪୧ ବର୍ଷୀୟା ବିବାହିତ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଳି ଅଞ୍ଚଳରେ ଏହି ଘଟଣା ଘଟିଛି। ମହିଳା ଜଣକ ଅପରାହ୍ନ ସମୟରେ ନିଜ ଶାଢୀ ସାହାଯ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦା ଏହା ଦେଖିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ପ୍ଲାଣ୍ଟ ସାଇଟ୍ ପୋଲିସ ଏକ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କେଉଁ ପରିସ୍ଥିତିରେ ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଲେ, ସେ ନେଇ ପୋଲିସ ଖୋଳତାଡ଼ କରୁଛି ଏବଂ ଅଧିକ ତଦନ୍ତ ଜାରି ରହିଛି।
