ଉମରକୋଟ,12//2, (ଉତ୍କଳ ସମାଚାର) : ନରସିଂବାଘ ନବରଙ୍ଗପୁର ତଥା ଅଭିଭକ୍ତ କୋରାପୁଟ ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ ସହୀଦ ବଗା ପୂଜାରୀଙ୍କ ୮୪ତମ ଆତ୍ମବଳିଦାନ ଦିବସ ଆଜି ଭକ୍ତିଭାବରେ ପାଳିତ ହୋଇଛି।ତାଙ୍କ ପୁଣ୍ୟତିଥି ଅବସରରେ ଉମରକୋଟ ବ୍ଲକର ବଡ଼ଭରଣ୍ଡୀ ଗ୍ରାମରେ ଅବସ୍ଥିତ ତାଙ୍କ ସ୍ମୃତିରେ ନିର୍ମିତ ସହୀଦ ବଗା ପୂଜାରୀ ମିନାରରେ ପୁଷ୍ପହାର ଅର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।ଏହି ଅବସରରେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଝରୀଗାଁ ବିଧାୟକ ନରସିଂହ ଭତ୍ରା, ବିଜେପି ଉପସଭାପତି ରମେଶ ସାହୁ ସହିତ ଅନ୍ୟାନ୍ୟ ଜନପ୍ରତିନିଧି ଓ ପ୍ରମୁଖ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ସହୀଦଙ୍କୁ ସମ୍ମାନଜନକ ‘ଗାର୍ଡ ଅଫ ଅନର’ ପ୍ରଦାନ କରାଯାଇଥିଲା।ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ବଗା ପୂଜାରୀ ସେବା ସଦନ ପକ୍ଷରୁ ଏକ ବିଶାଳ ସଭାର ଆୟୋଜନ ହୋଇଥିଲା। ସଭାରେ ସହୀଦଙ୍କ ନାତୁଣୀ ଓ ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ ସଭାପତିତ୍ୱ କରିଥିଲେ।ସଭାରେ ଉପସ୍ଥିତ ଅତିଥିମାନେ ସହୀଦ ବଗା ପୂଜାରୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦାନ ଓ ଦେଶ ପାଇଁ ତାଙ୍କ ଅତୁଳନୀୟ ବଳିଦାନକୁ ସ୍ମରଣ କରିଥିଲେ। ଗଣଶିକ୍ଷା ମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଡାକରେ ସେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ ଏବଂ ଇଂରେଜ ଶାସନଙ୍କ ହାତରେ ଗିରଫ ହୋଇ କାରାଗାରରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ସଭାରେ ତାଙ୍କ ଜୀବନୀ, ସଂଗ୍ରାମ ଓ ବଳିଦାନର ଗାଥାକୁ ସ୍ମରଣ କରି ଉପସ୍ଥିତ ଲୋକମାନେ ତାଙ୍କୁ ଶ୍ରଦ୍ଧା ସମର୍ପଣ କରିଥିଲେ।
