ସମ୍ବଲପୁର,୨୦/୦୨(ଉତ୍କଳ ସମାଚାର),(ସରୋଜ ସାହୁ):ବୁର୍ଲା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଶୁକ୍ରବାର ଭୋର ସମୟରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନିଷିଦ୍ଧ କଫ୍ ସିରପ୍ ଜବତ କରିବା ସହ ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ନେଇ ଜ଼ିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ମିଶ୍ର ଏକ ସାମ୍ବାଦିକ ସଂମ୍ବିଳନୀ ରେ ସୂଚନା ପ୍ରଦାନ କରିଥିଲେ I ଗତ ବିଳମ୍ବିତ ରାତିରେ ବୁର୍ଲା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ସୁଇଫ୍ଟ ଡିଜାୟର ଗାଡ଼ିରେ ସମ୍ବଲପୁରରୁ ବୁର୍ଲାକୁ କଫ୍ ସିରପ୍ ଚୋରା ଚାଲାଣ ହେଉଥିବା ଖବର ମିଳିଥିଲା। ପୋଲିସ କିରବା ଛକ ନିକଟରେ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା, ମାତ୍ର ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ପିଛା କରି ଅନୁରାଧା ହଲ୍ ନିକଟରେ ସେମାନଙ୍କୁ କାବୁ କରିଥିଲା। ତଲାସି ସମୟରେ ଗାଡ଼ି ଭିତରୁ ୪ଟି ବ୍ୟାଗରୁ ମୋଟ ୧୨ ଶହ ବୋତଲ କୋଡିନ ଯୁକ୍ତ କଫ୍ ସିରପ୍ ଜବତ କରାଯାଇଛି। ଏହା ସହିତ ଗୋଟିଏ ଧଳା ରଙ୍ଗର ମାରୁତି ସୁଜୁକି ସୁଇଫ୍ଟ ଡିଜାୟର ଗାଡ଼ି, ୩ଟି ଦାମୀ ମୋବାଇଲ୍ ଫୋନ୍ ଜବତ ହୋଇଛି। ଏହି କେଶ ରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବିକି ବିକ୍ରମ ପଞ୍ଚବିହାର (୩୨), ପାଣ୍ଡୁ ଓରଫ ରାଜେଶ ପଟ୍ଟନାୟକ (୩୪), ଟିକିନା ସାହୁ (୩୬) I ଏହି ସମସ୍ତ ଅଭିଯୁକ୍ତ ବୁର୍ଲା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଚଢ଼ାଉ କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍ ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ କରାଯାଇଥିଲା। ବୁର୍ଲା ପୋଲିସ ଏନଡ଼ିପିଏସ ଆକ୍ଟ ଅନୁଯାୟୀ କେସ୍ ନମ୍ବର ୭୯/୨୦୨୬ ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।

