ରାଉରକେଲା:1//3,(ଉତ୍କଳ ସମାଚାର) ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ବୀର ସୁରେନ୍ଦ୍ର ସାଏଙ୍କ ୧୪୨ ତମ ତିରୋଧାନ ଦିବସ ଅବସରରେ ଭକ୍ତି-ମାଲ୍ୟାର୍ପଣ , ପୁଷ୍ପାଞ୍ଜଳି ଓ ସ୍ମୃତି ତର୍ପଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଶକ୍ତିନଗର ଜଗନ୍ନାଥ ମନ୍ଦିର ସନ୍ନିକଟ ବୀର ସୁରେନ୍ଦ୍ର ସାଏଙ୍କ ଆବକ୍ଷ ପ୍ରତିମୂର୍ତ୍ତି ନିକଟରେ ରାଉରକେଲାର ବହୁ ସାରସ୍ଵତ ଓ ସାଂସ୍କୃତିକ ପ୍ରତିଷ୍ଠାନର କର୍ମକର୍ତ୍ତା ଓ ନେତୃତ୍ୱ ସହିତ ଶକ୍ତିନଗର ସାଧାରଣ ଜନତା, ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଯୋଗ ଦେଇଥିବାବେଳେ , ମୂଖ୍ୟଅତିଥି ରୂପେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡଃ ସୁମନ ଦତ୍ତ ମାଲ୍ୟାର୍ପଣ ପୂର୍ବକ ବୀର ସୁରେନ୍ଦ୍ର ସାଏଙ୍କ ବୈପ୍ଳବିକ ଜୀବନର ସାଲିସ ବିହୀନ ସଂଗ୍ରାମର ଐତିହାସିକ ବିବରଣୀ ପ୍ରଦାନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଘଞ୍ଚ ପାହାଡ଼ ପର୍ବତ ଅରଣ୍ୟାନୀ ମଧ୍ୟରେ କିପରି ଇଂରେଜମାନଙ୍କ ସହିତ ସଂଘର୍ଷ କରି ସ୍ବାଧୀନତା ସଂଗ୍ରାମ ପାଇଁ ନିଜର ପ୍ରତିଟି ସ୍ବେଦ ବିନ୍ଦୁକୁ ଦେଶ ମାତୃକା ପାଇଁ ଅର୍ପଣ କରିଥିଲେ ,ତାର ସ୍ମୃତି ଚାରଣ କରିଥିଲେ। ଶ୍ରୀ ମହାପାତ୍ର ତାଙ୍କ ଆବାହନୀ ଅଭିଭାଷଣରେ ସୁରେନ୍ଦ୍ର ସାଏଙ୍କର ୩୭ ବର୍ଷର ସଂଘର୍ଷ ପୂର୍ଣ୍ଣ ଜୀବନର କାହାଣୀ ସହିତ ସମ୍ବଲପୁର ରାଜପରିବାରର ଜଣେ ଦୁର୍ଦ୍ଦମନୀୟ ରାଜପୁରୁଷ ରୂପେ ସେ କେମିତି ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ସହିତ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼ିଥିଲେ , ତାହାର ଐତିହାସିକ ସ୍ମୃତି ଚିତ୍ର ପ୍ରଦାନ କରିଥିଲେ।ଏହି ସ୍ମୃତି ତର୍ପଣ ସଭାରେ ବିଶିଷ୍ଟ ସାହିତ୍ୟ ସଂଗଠକ ରାଧାମୋହନ ନାୟକ, ସମାଜସେବୀ ଗଗନ ବିହାରୀ ଧଳ, ଆଇନଜୀବୀ ଆରତି ଚୌଧୁରୀ, ପ୍ରଫେସର ମନୋଜ ମିଶ୍ର, କବି ବଳରାମ ରାଉଳ, ଶିକ୍ଷାବିତ୍ ନମିତା ଜେନା, ଜନରଞ୍ଜନ ଜେନା, ନମିତା ସାଡଓ୍ବାଲ , ପ୍ରଦୀପ କୁମାର ପ୍ରଧାନ, ସମାଜସେବୀ ଶିବଶଙ୍କର ପଣ୍ଡା,ଶ୍ରୀମନ୍ତ ବେହେରା, ଗୌରୀଶଙ୍କର ପାତ୍ର, ରତ୍ନାକର ବିଶ୍ବାଳ ଓ କବୟିତ୍ରୀ ସସ୍ମିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସୁରେନ୍ଦ୍ର ସାଏଙ୍କୁ ଭକ୍ତି ସୁମନ ଅର୍ପଣ କରିଥିଲେ।ସଭାପତି ଶ୍ରୀ ପତି ସମବେତ ନିମନ୍ତ୍ରିତ ଅତିଥି ଓ ସଭାରେ ଉପସ୍ଥିତ ବରିଷ୍ଠ ନାଗରିକ ଓ ସାଧାରଣ ଜନତାଙ୍କୁ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।।

