ରାଉରକେଲା:3//3,(ଉତ୍କଳ ସମାଚାର) ରାଉରକେଲାର ଅଗ୍ରଣୀ କ୍ରୀଡା ସଂଗଠନ ରାଇଜିଂ କ୍ଳବ୍ ଆୟୋଜିତ ୧୭ତମ ରାଇଜିଂ ଟ୍ରଫି (୮ମ ସର୍ବଭାରତୀୟ ଭଲିବଲ୍ ପ୍ରତିଯୋଗିତା) ସଫଳତାର ସହିତ ସମାପ୍ତ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ହରିଆଣା ଦଳ ନାଗପୁରକୁ ୩ ସେଟ୍ରେ ପରାଜିତ କରି ଚ୍ୟାମ୍ପିୟନ୍ ହୋଇଛି। ସେଟ୍ ସ୍କୋର ଥିଲା — ନାଗପୁର ୨୫–ହରିଆଣା ୨୦, ନାଗପୁର ୨୩–ହରିଆଣା ୨୫ ଏବଂ ନାଗପୁର ୧୬–ହରିଆଣା ୨୫।ଓଡ଼ିଶା ଦଳ ଛତିଶଗଡ଼କୁ ପରାଜିତ କରି ତୃତୀୟ ସ୍ଥାନ ଅଧିକାର କରିଛି। ଫାଇନାଲ୍ ମ୍ୟାଚ୍ରେ ହରିଆଣାର ରିଜ୍ୱାନ୍ ସର୍ବଶ୍ରେଷ୍ଠ ଆଟାକର୍, ଜୀତ ସର୍ବଶ୍ରେଷ୍ଠ ଲିବ୍ରୋ ଏବଂ ଅମନ୍ ସର୍ବଶ୍ରେଷ୍ଠ ସେଟର୍ ଭାବେ ଚୟନିତ ହୋଇଥିବାବେଳେ ନାଗପୁରର ରିଜ୍ୱାନ୍ ସର୍ବଶ୍ରେଷ୍ଠ ବ୍ଲକର୍ ଭାବେ ସମ୍ମାନିତ ହୋଇଛନ୍ତି।ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ପୂର୍ବତନ ବିଧାୟକ ସୁବ୍ରତ ତରାଇ। ସେହିପରି ଉଦଘାଟନୀ ଉତ୍ସବରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ ରାୟ ଅତିଥି ଭାବେ ଯୋଗଦେଇଥିଲେ। ଜାତୀୟ ରେଫେରି ନିରଞ୍ଜନ ନାୟକ, ସଞ୍ଜିବ ଚାନ୍ଦ, ସଞ୍ଜିବ ମହାନ୍ତି, ଆନା କେରକେଟା, ସସ୍ମିତା, ସୁଜୟ ଓ ସୁବାଷ ମ୍ୟାଚଗୁଡ଼ିକ ସଫଳତାର ସହ ପରିଚାଳନା କରିଥିଲେ।ଚ୍ୟାମ୍ପିୟନ୍ ହରିଆଣାକୁ ବିଜେତା ଟ୍ରଫି ସହ ୨୫ ହଜାର ଟଙ୍କା, ରନର୍ସଅପ୍ ନାଗପୁରକୁ ଟ୍ରଫି ସହ ୧୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଓଡ଼ିଶାକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାର ସୁଚାରୁ ପରିଚାଳନା ପାଇଁ ରାଇଜିଂ କ୍ଲବ୍ର ଶିଶିର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ସଦସ୍ୟମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

