ନବରଙ୍ଗପୁର ତା ୬.୩.୨୦୨୬:(ଉତ୍କଳ ସମାଚାର) ଆଜି ପ୍ରଧାନମନ୍ତ୍ରୀ କୌଶଲ କେନ୍ଦ୍ରଠାରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ‘ନୂତନ ଉନ୍ନତ ଅଭିଳାଷ’ (NUA) କାର୍ଯ୍ୟକ୍ରମ ଅଧୀନରେ ‘ସିନିୟର ଆସୋସିଏଟ୍ – ଡେସ୍କଟପ୍ ପବ୍ଲିସିଂ’ ଟ୍ରେଡ୍ର ନୂତନ ତାଲିମ ତଥା ନିଯୁକ୍ତି କାର୍ଯ୍ୟକ୍ରମ ପାଇଁ ଆଜି ଏକ ଉଦ୍ଘାଟନୀ ତଥା ପୋଷାକ (ୟୁନିଫର୍ମ) ବଣ୍ଟନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ଏବଂ ଜିଲ୍ଲାପାଳ ପ୍ରଶିକ୍ଷାର୍ଥୀମାନଙ୍କୁ ଶତପ୍ରତିଶତ ଉପସ୍ଥାନ ସହିତ ତାଲିମ ସମ୍ପୂର୍ଣ୍ଣ କରିବାକୁ, ଏକାଗ୍ରତାର ସହ ନୂଆ ଜିନିଷ ଶିଖିବାକୁ ଏବଂ ପରବର୍ତ୍ତୀ ସମୟରେ ଭଲ ଦରମାରେ ଚାକିରିରେ ଯୋଗଦେବାକୁ ଉତ୍ସାହିତ କରିଥିଲେ। ରାଜ୍ୟ ଭିତରେ ହେଉ ବା ବାହାରେ, ଯେଉଁଠି ଭଲ ସୁଯୋଗ ମିଳିବ ସେଠାରେ ନିଯୁକ୍ତି ଗ୍ରହଣ କରିବାକୁ ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଶିକ୍ଷାର୍ଥୀମାନଙ୍କୁ ୟୁନିଫର୍ମ ଓ ପାଠ୍ୟ ଉପକରଣ ଆଦି ପ୍ରଦାନ କରାଯାଇଥିଲା।ନବରଙ୍ଗପୁର ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ ଆନନ୍ଦ ଚନ୍ଦ୍ର ପଲେଇ ଙ୍କ ସୁଚନା ଅନୁଯାୟୀ ଏହା ୫୦ ଦିନିଆ ଏକ ଆବାସିକ ତାଲିମ, ଯେଉଁଠାରେ ମୋଟ ୨୯ ଜଣ ପ୍ରଶିକ୍ଷାର୍ଥୀଙ୍କୁ ମାଗଣା ରହିବା ଓ ଖାଇବା ସୁବିଧା ଯୋଗାଇ ଦିଆଯିବ। ତାଲିମ ସମାପ୍ତ ହେବା ପରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଏସ ଇ, ଆର୍ ଏଣ୍ଡ ବି କେ କନ୍ଧପାଣି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଏସ ଡି ଇ ଓ ଶୁଭମ ମହାପାତ୍ର ଉପସ୍ଥିତ ଥିଲେ।

