ଭୁବନେଶ୍ୱର, ୭/୩ (ଉତ୍କଳ ସମାଚାର): ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ । ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ସମବାୟ କ୍ଷେତ୍ର ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଶୁଭାରମ୍ଭ କରିଛନ୍ତି ଶ୍ରୀ ଶାହ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନିଜର ଅଭିଭାଷଣରେ ସେ କହିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ କଳା ଓ ସଂସ୍କୃତିର ମାଟି । ସେ ଏହା ମଧ୍ୟ କହିଛନ୍ତି, ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ବିକାଶ ପଥରେ ଆଗେଇ ଚାଲିଛି । ନିକଟ ଅତୀତରେ କୃତ୍ରିମ ବୁଦ୍ଧିମତା ସମ୍ମିଳନୀର ଆୟୋଜନ କରାଯାଇଛି ଯେଉଁଥିରେ ବିଭିନ୍ନ ଦେଶର ନେତୃତ୍ୱ ନେଉଥିବା ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇଛନ୍ତି । ଆଗାମୀ ଦିନରେ ଆମ ଦେଶ ଭାରତକୁ ସମ୍ପୂର୍ଣ୍ଣ ଭାବେ ନକ୍ସଲବାଦରୁ ମୁକ୍ତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରେ ମଧ୍ୟ ନୂତନ ସରକାର ଗଠନ ହେବା ପରେ ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ନିର୍ମାଣ କରିବାକୁ ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ କାର୍ଯ୍ୟ କରାଯାଉଛି । ଧାନ ଚାଷୀମାନଙ୍କୁ ୩୧୦୦ ଟଙ୍କାର ଏମ୍ଏସପି ପ୍ରଦାନ କରିବା ଠାରୁ ଆରମ୍ଭ କରି ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ସୁଭଦ୍ରା ଯୋଜନା ପ୍ରଣୟନ କରାଯାଇଛି । ଆଗାମୀ ଦିନରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ପ୍ରତି ବର୍ଗର ପ୍ରତିଟି ବ୍ୟକ୍ତିଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ୍ କରି ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛି ବୋଲି ମତ ପ୍ରକାଶ କରିଛନ୍ତି ଶ୍ରୀ ଶାହ । ଓଡ଼ିଶାର ବିକାଶ ଯାତ୍ରାରେ ଯୋଡ଼ି ହୋଇଛି ନୂତନ ଫର୍ଦ୍ଦ । ଆଜି ଗୋଟିଏ ଦିନରେ ୩୨୭୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଏହାସହିତ ୬ଟି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେଇଛି । ଏହାମାଧ୍ୟମରେ ଓଡ଼ିଶାର ଚାଷୀ ସମୃଦ୍ଧ ହେବ, ଓଡ଼ିଶାର ଯୁବକ ସମୃଦ୍ଧ ହେବେ, ଓଡ଼ିଶାର ମା’ମାନେ ସମୃଦ୍ଧ ହେବେ ଏବଂ ସାରା ଓଡ଼ିଶା ସମୃଦ୍ଧ ହେବ ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

