ରାଉରକେଲା ୮/୩,(ଉତ୍କଳ ସମାଚାର) ରାଉରକେଲା ସେକ୍ଟର-୧୩ ପ୍ରଦର୍ଶନୀ ପଡିଆରେ ଫେବୃଆରୀ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ସ୍ତରୀୟ ସରସ ସ୍ବଦେଶୀ ମେଳା ୨୦୨୬ର ଆଜି ଦଶମ ଦିବସରେ ସ୍ବଦେଶୀ ଜାଗରଣ ମଞ୍ଚ ତତ୍ତ୍ବାବଧାନରେ ଭୋକାଲ ଟୁ ଲୋକାଲ – ଲୋକାଲ ଟୁ ଗ୍ଲୋବାଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଆଲୋଚନାଚକ୍ର ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନଙ୍କୁ ଉତ୍ତରୀୟ ଓ ମୋମେଣ୍ଟୋ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ଏହି ଆଲୋଚନାଚକ୍ରରେ ରାଉରକେଲା ଲଘୁ ଉଦ୍ୟୋଗ ଭାରତୀ ସଭାପତି ରାଜେଶ ଗର୍ଗ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଉରକେଲା ଏନ୍ଆଇଟି ସ୍କୁଲ ଅଫ୍ ମ୍ଯାନେଜମେଣ୍ଟର ପ୍ରଫେସର ରାଜୀବ କୁମାର ପଣ୍ଡା, ସୁନ୍ଦରଗଡ ଓରମାସର ସିଇଓ କେଶବ ଝା, ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ରାଉରକେଲା ଏସ୍ କେ ପତି, ଜେ.ଏସ୍.ଏସ୍. ନିର୍ଦ୍ଦେଶକ ସଞ୍ଜୀବ ମିଶ୍ରଙ୍କ ସମେତ ମହିଳା ଉଦ୍ଯୋଗୀ ତଥା ଓ୍ବାଟରକ୍ରାଫ୍ଟର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ନିହାରିକା ବସ୍ତିଆ ଯୋଗଦେଇଥିଲା ବେଳେ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ ଭିମସେନ ନାୟକ।ଏହି ଆଲୋଚନାଚକ୍ରରେ ଭୋକାଲ ଟୁ ଲୋକାଲ – ଲୋକାଲ ଟୁ ଗ୍ଲୋବାଲ ହେବା ପାଇଁ ଉଦ୍ଯୋଗ କ୍ଷେତ୍ରରେ ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଉପରେ ଆଲୋକପାତ କରି, ରାଉରକେଲା ଏନ୍ଆଇଟି ପ୍ରଫେସର ରାଜୀବ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ ଭୋକାଲ ଟୁ ଲୋକାଲ – ଲୋକାଲ ଟୁ ଗ୍ଲୋବାଲ ହେବାକୁ ହେଲେ ଉଦ୍ଯୋଗ ପାଇଁ ନିଜର ପରିକଳ୍ପନାକୁ ସଠିକ୍ ଭାବେ କରିବା ସହିତ ଉଦ୍ଯୋଗରୁ ବାହାରୁଥିବା ପଦାର୍ଥକୁ ବିକ୍ରି କରିବା ପାଇଁ ବଜାର ଆବଶ୍ୟକ ହୋଇଥାଏ। ବଜାରରେ ପଦାର୍ଥ ଠିକ୍ ଭାବେ ଆଦୃତ ହୋଇପାରିଲେ ତାହା ବିଶ୍ବ ଦରବାରରେ ଆଦୃତ ହୋଇ ଗ୍ଲୋବାଲରେ ପରିଣତ ହୋଇପାରିବ। ଓରମାସ୍ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ସରସ ସ୍ବଦେଶୀ ମେଳା ମାଧ୍ୟମରେ ମହିଳା ଉଦ୍ଯୋଗୀ ସେମାନଙ୍କ ପଦାର୍ଥ ପ୍ରଦର୍ଶନ ସହିତ ବିକ୍ରୟ ମଧ୍ଯ କରିପାରିବେ ବୋଲି କହିଥିଲେ ସୁନ୍ଦରଗଡ ଓରମାସ୍ ସିଇଓ କେଶବ ଝା। ସେହିପରି ଏମ୍ଏସ୍ଏମ୍ଇ ମାଧ୍ୟମରେ ଉଦ୍ଯୋଗ ପ୍ରତିଷ୍ଠା ପାଇଁ ୫୦ ଲକ୍ଷ ଟଙ୍କା ଋଣ (ଲୋନ୍) ଯୋଗାଇ ଦିଆଯାଉଥିବା ବେଳେ, ପଦାର୍ଥର ସଠିକ ମୂଲ୍ଯ ପାଇଁ ଆବଶ୍ୟକ ହେଉଥିବା ବାରକୋର୍ଡ ପାଇଁ ୭୦ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଋଣ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ମହିଳାଙ୍କ କ୍ଷେତ୍ରରେ ଶତ ପ୍ରତିଶତ ଛାଡ ରହିଛି।ସେହିପରି ଓ୍ବାଟରକ୍ରାଫ୍ଟର ପରିଚାଳନା ନିର୍ଦ୍ଦେଶିକା ନିହାରିକା ବସ୍ତିଆ ଉଦ୍ଯୋଗ କ୍ଷେତ୍ରରେ ସାମ୍ନା କରିଥିବା ଅସୁବିଧା ସହିତ ଗ୍ଲୋବାଲ ହେବା ପାଇଁ ଆବଶ୍ଯକତା ବିଷୟରେ ନିଜ ବକ୍ତବ୍ୟ କହିଥିଲେ । ସେହିପରି ଜେଏସ୍ଏସ୍ ନିର୍ଦ୍ଦେଶକ ସଞ୍ଜୀବ ମିଶ୍ର ଭୋକାଲ ଟୁ ଲୋକାଲ – ଲୋକାଲ ଟୁ ଗ୍ଲୋବାଲ ହେବା ପାଇଁ ନିଜ ବକ୍ତବ୍ୟ ରଖିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ରିତେଶ ହାଲଦାର। ଏହି ଭୋକାଲ ଟୁ ଲୋକାଲ – ଲୋକାଲ ଟୁ ଗ୍ଲୋବାଲ ଆଲୋଚନାଚକ୍ରର ସଂଯୋଜନା କରିଥିଲେ ଭୀମସେନ ନାୟକ।

