ରାଉରକେଲା ୯/୩,(ଉତ୍କଳ ସମାଚାର) ଜାତୀୟ ରାଜପଥ-୧୪୩ରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିବା ସହିତ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୧୪୩ରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୌଡୁନିପୋଷ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ ବାଇକରେ ତିନି ଜଣ ଯୁବକ ଯାଉଥିବା ବେଳେ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଗୁରୁତର ଧକ୍କା ଯୋଗୁଁ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣଙ୍କର ହସ୍ପିଟାଲର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଗୁରୁତର ଆହତ ତୃତୀୟ ଯୁବକଙ୍କୁ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି।ମୃତ ଯୁବକମାନେ ଚାନ୍ଦିପୋଷ ଏବଂ କେ. ବଲାଙ୍ଗ ଥାନା ଅଞ୍ଚଳର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି। ଆହତ ଯୁବକ ଜଣକ ଚାନ୍ଦିପୋଷ ମୁଣ୍ଡା ସାହିର ଦାମୁ ମୁଣ୍ଡା ବୋଲି ଚିହ୍ନଟ କରାଯାଇଛି।ଲହୁଣୀପଡ଼ା ଥାନା ପୋଲିସ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

