ସୁନ୍ଦରଗଡ଼ ୯/୩,(ଉତ୍କଳ ସମାଚାର) ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ଓ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ କାଦମ୍ବିନୀ ସାମଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୂଚିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଉପ-ବାଚସ୍ପତି ଶ୍ରୀ ଭୋଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ମହତ୍ତ୍ବ ଉପରେ ନିଜର ଅଭିଭାଷଣ ରଖିବା ସହିତ ପରିବାର ଓ ସମାଜର ସମୃଦ୍ଧିରେ ମହିଳାମାନଙ୍କର ଅବଦାନ ଅତୁଳନୀୟ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ବିଜ୍ଞାନ ହେଉ କି କ୍ରୀଡ଼ା ବା ରାଜନୀତି କ୍ଷେତ୍ର ସହିତ ପରିବାରକୁ ମଧ୍ୟ ସୁସ୍ଥ ଓ ସୁଦୃଢ଼ ଭାବେ ଗଢ଼ି ଥାଆନ୍ତି। ସନ୍ତାନମାନଙ୍କୁ ଉତ୍ତମ ଶିକ୍ଷା , ସଂସ୍କାର, ମୂଲ୍ୟବୋଧ ଦେଇ ଉତ୍ତମ ନାଗରିକ ଗଠନ କରିଥାନ୍ତି। ଏକ ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ମଧ୍ଯରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ କ୍ରୀଡା, ସଂଗୀତ ଓ ରଙ୍ଗୋଲି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବାରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ସିଡିପିଓ ଶ୍ରୀମତୀ ସୁବାସୀ ମୁଣ୍ଡୁ , ଶ୍ରୀମତୀ ଏମ୍ରେନ୍ସିଆ କୁଲୁ, ଶ୍ରୀମତୀ ପୁଷ୍ପଲତା ନାୟକ, ସୁପରଭାଇଜର ଶ୍ରୀମତୀ ବିଷ୍ଣୁପ୍ରିୟା ନାଏକ, ଶ୍ରୀମତୀ ସେବତୀ ନାୟକ ଓ ଶ୍ରୀମତୀ ଫୁଲମାନୀ ମହନ୍ତ, ଅଙ୍ଗନବାଡୀ କର୍ମୀ ଅନୀତା ଲାକ୍ରା, ଦୀପିକା କିସାନ ରଶ୍ମିତା ଟପ୍ପୋ , ସହାୟିକାମାନଙ୍କ ମଧ୍ୟରେ ସୁକାନ୍ତି ବାଗ, ଜ୍ଯୋତି ପ୍ରଧାନ ଓ ନାଗେଶ୍ବରୀ ଓରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ କର୍ମୀ ଓ ସହାୟିକାଙ୍କ ମଧ୍ଯରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ବ୍ଲକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କବାଡିରେ କୁଆଁରମୁଣ୍ଡା ଚାମ୍ପିୟନ ଓ ସବଡେଗା ରନର୍ସ ଅପ୍, ଖୋଖୋରେ କୁତ୍ରା ଚାମ୍ପିୟନ ଏବଂ ଗୁରୁଣ୍ଡିଆ ରନର୍ସ ଅପ୍, ରଶିଟଣାରେ ଲାଠିକଟା ଚମ୍ପିୟନ ଓ ଟାଙ୍ଗରପାଲି ରନର୍ସ ଅପ୍ ହୋଇଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସିଡ଼ିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ସହାୟିକା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି ରାଜ୍ୟ ସ୍ତରୀୟ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ। କାର୍ଯ୍ୟକ୍ରମରେ ସଦର ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଶିଳା ରଥ ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଷମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

