ସମ୍ବଲପୁର,୧୧/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ସିନ୍ଦୁରପଙ୍କ କେନଘାଟି ସ୍ଥିତ ଶ୍ରୀରାମ ବାଟିକା ରେ ଆସନ୍ତା ୧୩ ତାରିଖରୁ ଅନୁଷ୍ଠିତ ହେଵ ଅଖଣ୍ଡ ଚବିଶି ପ୍ରହରୀ ନାମ ଯଜ୍ଞ । ଦୀର୍ଘ ୭୨ ଘଣ୍ଟା ଧରି ଅନୁଷ୍ଠିତ ହେବାକୁ ଥିବା ଏହି ନାମ ଯଜ୍ଞ ରେ ଓଡିଶା ଓ ଓଡିଶା ବାହାରର ପ୍ରାୟ ୩୫ ରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିବାର କାର୍ଯକ୍ରମ ରହିଛି ବୋଲି କହିଛନ୍ତି ସମାଜସେବୀ ସିଦ୍ଧାର୍ଥ ସାହା। ଏହି ଉପଲକ୍ଷେ ହୋଟେଲ ଡ଼ଲଫିନ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହା କହିଛନ୍ତି ଯେ ନାମ ଯଜ୍ଞ ରେ ସାରା ଭାରତ ବର୍ଷ ରୁ ପ୍ରାୟ ଦୁଇଶହ ସାଧୁସନ୍ଥ, ନାଗା ବାବା ,ମହନ୍ତ, ପିଠାଧିପତି, ମହାମଣ୍ଡଳେଶ୍ୱର ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଶହ ସାଧୁସନ୍ଥ ଶ୍ରୀରାମ ବାଟିକା ରେ ନିର୍ମିତ ନିଜ ନିଜ ଆଶ୍ରମ ରେ ଦୀର୍ଘ ଚାରି ଦିନ ଧରି ବିରାଜମାନ ରହିବେ। ସମସ୍ତ ସାଧୁସନ୍ଥ ଓ ମହନ୍ତ ମାନେ ୧୪ ତାରିଖରେ ସମଲେଶ୍ଵରୀ ଦର୍ଶନ କରିବା ସହ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବେ। ଦିନ ବାର ଟା ସୁଦ୍ଧା ସାଧୁ ସନ୍ଥ ମାନେ ସମଲେଶ୍ଵରୀ ଦର୍ଶନ ସାରି ଏକ ଭବ୍ୟ ଶୋଭାଯାତ୍ରାରେ ଦଳେଇ ପଡା ଛକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯିବେ। ଏହି ଶୋଭାଯାତ୍ରା ସମଲେଶ୍ଵରୀ ମନ୍ଦିର ରୁ କୁଞ୍ଜେଲ ପଡା , ଝାଡୁଆପଡା ଦେଇ ଦଳେଇପଡା ପର୍ଯ୍ୟନ୍ତ ଯିବେ। ଏହି ସମୟରେ ଶ୍ରଦ୍ଧାଳୁ ମାନେ ନିଜ ଘରେ ରହି ଏକକାଳୀନ ଶହ ଶହ ସାଧୁସନ୍ଥ ଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିପାରିବେ। ସେହିଦିନ ସନ୍ଧ୍ୟାରେ ଶ୍ରୀରାମ ବାଟିକା ରେ ଅଂଶଗ୍ରହଣ କରିଥିବା ସାଧୁ ଓ ସନ୍ଥ ମାନଙ୍କ ବିଶେଷ ସେବା କରାଯିବ, ଶ୍ରଦ୍ଧାଳୁ ଭକ୍ତମାନେ ବ୍ୟକ୍ତିଗତ ଭାବେ ସାଧୁସନ୍ଥ ମାନଙ୍କ ସେବା କରିବାର ସୌଭାଗ୍ୟ ଅର୍ଜନ କରିପାରିବେ।ପନ୍ଦର ତାରିଖରେ ଗୁରୁ ନାମ ଓ ୧୬ ତାରିଖରେ ଯଜ୍ଞ ର ପୂର୍ଣ୍ଣାହୁତି ପ୍ରଦାନ ସହ ନଗର କୀର୍ତ୍ତନ ଅନୁଷ୍ଠିତ ହେଵ । ଦିଲ୍ଲୀ ର ମହା ମଣ୍ଡଳେଶ୍ୱର ଶ୍ରୀ ଶ୍ରୀ ଏକ ହଜାର ଆଠ ନୱଲ କିଶୋର ଦାସ ଜି ମହାରାଜ, ଅର୍ନ୍ତରାଷ୍ଟ୍ରୀୟ ରାମ କଥା ପ୍ରଚାର ଖାଲସା ଯୋଗ ଦେବା ସହ ପଶ୍ଚିମ ଓଡ଼ିଶା ବୈଷ୍ଣବ ମହାସଂଘ ଅଧକ୍ଷ ମହନ୍ତ ଶ୍ରୀ ହୃଷୀକେଶ ଦାସ ଜି ମହାରାଜ, ମଠପାଲି ରାଣୀମଠ ମହନ୍ତ ଶ୍ରୀ ବାସୁଦେବ ଜି ମହାରାଜ, ଶ୍ରୀକ୍ଷେତ୍ର ଚାନ୍ଦପୁର ମଠ ମହନ୍ତ ଶ୍ରୀ ରାଧାଚରଣ ଜି ମହାରାଜ, ମହନ୍ତ ସେକ୍ରେଟାରୀ ନାଗା ବାବା ଶ୍ରୀ ରଘୁବିର ଦାସ ମହାରାଜ, ମଧ୍ୟପ୍ରଦେଶ ଛତରପୁର ନାଗାବାବା ରାଜେଶ ପୁରୀ ଜି, ଚମ୍ବଲ ପିଠାଧିସ୍ୱର ଶ୍ରୀ ସୁନ୍ଦର ଦାସ ଜି ମହାରାଜ ପ୍ରମୁଖ ଯୋଗଦେବେ ବୋଲି ଶ୍ରୀ ସାହା ସୁଚନା ଦେଇଥିଲେ। ନାମ ଯଜ୍ଞ ଓ ସାଧୁ ସନ୍ଥ ମାନଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ଅହରହ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସାହା ସୁଚନା ଦେବା ସହ ଏହି “ବିଶ୍ଵ ଶାନ୍ତି ଓ ଜଗତ କଲ୍ୟାଣ” ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଖଣ୍ଡ ନାମ ଯଜ୍ଞ ରେ ନିଜକୁ ସାମିଲ କରାଇ ଭଗବତ ସାନ୍ନିଧ୍ୟ ଲାଭ କରିବାକୁ ସାଦର ନିବେଦନ କରିଛନ୍ତି। ଆଜିର ଏହି ସାମ୍ୱାଦିକ ସମ୍ମିଳନୀ ରେ ଆୟୋଜକ କମିଟି ସଦସ୍ୟ ବିଶ୍ଵ ରଞ୍ଜନ ପୁଝାରୀ, ମଧୁସୂଦନ କେଡ଼ିଆ, ବବି ଆରୋରା ପ୍ରମୁଖ ଉପସ୍ଥିତ ରହିଥିଲେ।

